ମାଲକାନଗିରି,୧୬/୦୮ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସଦର ଠାରେ ଥିବା ୩ଟି କାର୍ଯ୍ୟାଳୟରେ ଉଡିଲାନି ଜାତୀୟ ପତାକା, କି ପାଳନ ହେଲାନି ସ୍ୱାଧୀନତା ଦିବସ। ତେବେ ସ୍ଵାଧୀନତା ଦିବସ ଆମ ପାଇଁ ଅତି ଆନନ୍ଦ ଏବଂ ଗର୍ବର ଦିନ ହୋଇଥିବା ବେଳେ ଏହି ଦିନକୁ ଅତି ଖୁସିର ସହକାରେ ସମସ୍ତ ସରକାରୀ ବେସରକାରୀ, ବିଭିନ୍ନ ଛୋଟ ବଡ଼ ସଙ୍ଘ, ଏପରିକି ମଜଦୂର ସଙ୍ଘ ଗୁଡିକରେ ମଧ୍ୟ ପତାକା ଉତ୍ତୋଳନ କରିବା ସହ ସମସ୍ତେ ଏକତ୍ରିତ ହୋଇ ଭାରତ ମାତା ର ଗାନ କରିଥାନ୍ତି। କିନ୍ତୁ ବଡ଼ ଦୁଃଖ ଏବଂ ପରିତାପର ବିଷୟ ଏହିକି ଯେ କୋରୁକୋଣ୍ଡା ସଦରରେ ଥିବା ଫିସେରି କାର୍ଯ୍ୟାଳୟ, ହରଟିକଲଚର କାର୍ଯ୍ୟାଳୟ ଏବଂ ଆରଡି ବିଭାଗ ର କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରାଯାଇ ନଥିବା ବେଳେ କୌଣସି ଅଧିକାରୀ କିମ୍ବା କର୍ମଚାରୀ ଙ୍କ ଅଫିସରେ ପାଦ ମଧ୍ୟ ପଡ଼ିନଥିବା ଦେଖିବାକୁ ମିଳିଛି। ସୂଚନା ଥାଉ କି କେବଳ ହରଟିକଲଚର କାର୍ଯ୍ୟାଳୟ କୁ ଛାଡିଦେଲେ ଅନ୍ୟ ୨ଟି କାର୍ଯ୍ୟାଳୟ ଫିସେରି ଏବଂ ଆରଡି ବିଭାଗ ର କାର୍ଯ୍ୟାଳୟରେ ବର୍ଷ ତମାମ ତାଲା ପଡିଥିବା ଦେଖିବାକୁ ମିଳେ। ଏହି ୨ କାର୍ଯ୍ୟାଳୟ କୁ କୌଣସି ସରକାରୀ ଅଧିକାରୀ କେବେ ମଧ୍ୟ ଆସନ୍ତି ନାହିଁ। ତେବେ ସ୍ୱାଧୀନତା ଦିବସ ଭଳି ପବିତ୍ର ଦିନରେ ମଧ୍ୟ ପତାକା ଉତ୍ତୋଳନ କରାଯାଇନଥିବା ଘଟଣା କୁ ଅଂଚଳବାସୀ ତୀବ୍ର ନିନ୍ଦା କରିଛନ୍ତି। ତେବେ ଏନେଇ ଆମେ ହରଟିକଲଚର ବିଭାଗର କୋରୁକୋଣ୍ଡା ଅଧିକାରୀ ପ୍ରତ୍ୟୁଷ ମହାନନ୍ଦ ଙ୍କୁ ପଚାରିବାରୁ କାର୍ଯ୍ୟାଳୟରେ ରାତ୍ରିଯାପନ ନିମନ୍ତେ ବାସଭବନର ସୁବିଧା ନଥିବା ହେତୁ ସ୍ୱାଧୀନତା ଦିବସ ପାଳନ ହୋଇପାରୁନାହିଁ, ତେଣୁ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ପାଳନ କରାଯାଉଥିବା ସେ କହିଥିଲେ। ଆରଡି ବିଭାଗର ସହକାରୀ ଯନ୍ତ୍ରୀ ସୁଜାତା ଦିଶାରୀ ଙ୍କୁ ପଚାରିବାରୁ ତାଙ୍କ ବିଭାଗର କର୍ମଚାରୀ ଙ୍କ ଅଭାବ ହେତୁ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ ହୋଇ ପାରିନଥିବା ସେ କହିଥିଲେ। ସେହିପରି ଫିସେରି ବିଭାଗ ର ଜିଲ୍ଲା ମତ୍ସ୍ୟ ଅଧିକାରୀ ସୁଶାନ୍ତ ଗୌଡ଼ଙ୍କୁ ପଚାରିବାରୁ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ସ୍ୱାଧୀନତା ଦିବସ ପାଳନ କରାଯାଉଥିବା ହେତୁ କୋରୁକୋଣ୍ଡା ସଦରରେ ଥିବା କାର୍ଯ୍ୟାଳୟରେ ସ୍ୱାଧୀନତା ଦିବସ ପାଳନ କରାଯାଉନଥିବା ସେ କହିଥିଲେ। ବ୍ଲକ ସଦରରେ ଥିବା କାର୍ଯ୍ୟାଳୟ ଗୁଡିକରେ ଯଦି ପବିତ୍ର ସ୍ବାଧିନତା ଦିବସ ପାଳନ ହେଉନାହିଁ ତାହେଲେ ଲୋକମାନଙ୍କ କାର୍ଯ୍ୟ କିପରି ହେଉଥିବ ତାହା ଏଥିରୁ ସ୍ପଷ୍ଟ ବାରି ହେଉଛି।

