ମାଲକାନଗିରି,୧୦/୧୦ (ସୁଧାଂଶୁ ଶେଖର ମହାନ୍ତି)
କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ ମାଲକାନଗିରି ଜିଲ୍ଲାରେ ରାଜନୈତିକ ଉତ୍ତେଜନା ତୀବ୍ର ହୋଇଛି। ଖଇରପୁଟ ବ୍ଲକ ଅନ୍ତର୍ଗତ ଗୋବିନ୍ଦପାଲ୍ଲୀସ୍ଥିତ ବିଜୁ ପଟ୍ଟନାୟକ ଡିଗ୍ରୀ କଲେଜରେ ପ୍ରାର୍ଥୀ ତାଲିକା ପ୍ରକାଶ ଓ ନାମାଙ୍କନ ଯାଞ୍ଚକୁ ନେଇ ଉଠିଥିବା ଅନିୟମିତତା ଅଭିଯୋଗ ଏବେ ଆନ୍ଦୋଳନର ରୂପ ନେଇଛି। ଗୋଟିଏ ପଟେ ବିଜେଡି ପକ୍ଷରୁ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଥିବା ବେଳେ ଅନ୍ୟପଟେ ନ୍ୟାୟ ଦାବିରେ କଲେଜ ସମ୍ମୁଖରେ ଛାତ୍ରଛାତ୍ରୀ ଧାରଣାରେ ବସିଛନ୍ତି। ଫଳରେ ମାଲକାନଗିରି-କୋରାପୁଟ ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ସୂଚନା ଅନୁଯାୟୀ, ଛାତ୍ର ସଂସଦ ନିର୍ବାଚନରେ ଆଶାୟୀ ପ୍ରାର୍ଥୀଙ୍କ ନାମ ବାଦ୍ ଦିଆଯିବା, ପ୍ରାର୍ଥୀ ତାଲିକା ବିଳମ୍ବରେ ପ୍ରକାଶ କରାଯିବା ଏବଂ ନିର୍ବାଚନ ପ୍ରକ୍ରିୟାରେ ପାତରଅନ୍ତର ହୋଇଥିବା ନେଇ ଅଭିଯୋଗ ଉଠିଛି। ବିଶେଷକରି, ଜଣେ ଆଶାୟୀ ପ୍ରାର୍ଥୀଙ୍କ ଉପସ୍ଥାନ ୭୫ ପ୍ରତିଶତରୁ କମ୍ ଥିବା ଦର୍ଶାଇ ତାଙ୍କ ନାମ ବାଦ୍ ଦିଆଯାଇଥିବା ବେଳେ ଅନଲାଇନ୍ ରେକର୍ଡରେ ଅଧିକ ଉପସ୍ଥାନ ଥିବା ପ୍ରାର୍ଥୀଙ୍କ ପକ୍ଷରୁ ଦାବି କରାଯାଇଛି। ଏଥିସହ ସେମିଷ୍ଟର ପରୀକ୍ଷା ଫଳ ପ୍ରକାଶ ପରେ ବ୍ୟାକ୍ ପେପର ଥିବା ଛାତ୍ରଛାତ୍ରୀଙ୍କୁ ପ୍ରାର୍ଥୀ ହେବାରୁ ବାଦ୍ ଦିଆଯାଇଥିବା ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି। ଏହି ସମସ୍ତ ଅଭିଯୋଗର ନିରପେକ୍ଷ ତଦନ୍ତ ସହ ନ୍ୟାୟ ପ୍ରଦାନ ଦାବିରେ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି ଘଟଣାକୁ କେନ୍ଦ୍ର କରି ବିଜେଡି ପକ୍ଷରୁ ଗୋବିନ୍ଦପାଲ୍ଲୀଠାରେ ରାଜପଥ ଅବରୋଧ କରାଯାଇଥିଲା। ଦଳୀୟ ନେତା ଓ ଜନପ୍ରତିନିଧିମାନେ ରାସ୍ତାରେ ବସି ପ୍ରତିବାଦ ଜଣାଇବାରୁ ରାଜପଥର ଉଭୟ ପାର୍ଶ୍ୱରେ ଗାଡ଼ିମୋଟର ଅଟକି ରହିଥିଲା। ଏହା ଫଳରେ ଯାତ୍ରୀ ଓ ଅନ୍ୟ ଗାଡ଼ିଚାଳକମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ଧାରଣାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ଟାଙ୍ଗୁଲୁ, ଖଇରପୁଟ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ବଳି ମାଝୀ, ମାଥିଲି ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀପ୍ରିୟା ନାୟକ, ସସ୍ମିତା ମାଝୀ, ଜିଲ୍ଲା ଯୁବ ବିଜେଡି ସଭାପତି ତଥା ସରପଞ୍ଚ ଶ୍ରୀନିବାସ ମୁଦୁଲିଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ଦଳୀୟ ନେତୃବୃନ୍ଦ ସାମିଲ ହୋଇଥିଲେ।ଅନ୍ୟପକ୍ଷରେ, ରାସ୍ତା ଅବରୋଧ ହଟାଇବା ଏବଂ ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିବା ପାଇଁ ଖଇରପୁଟର ଅତିରିକ୍ତ ତହସିଲଦାର ବ୍ରଜକିଶୋର ପ୍ରଧାନ ଓ ମାଥିଲି ଥାନା ଅଧିକାରିଣୀ ଦୀପଞ୍ଜଳି ପ୍ରଧାନ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆଲୋଚନା ପରେ ଏହି ଅଭିଯୋଗ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇବାକୁ ପରାମର୍ଶ ଦିଆଯାଇଥିଲା। ଏହାପରେ ରାଜପଥ ଅବରୋଧ ହଟିଥିବା ଜଣାପଡ଼ିଛି। ତେବେ କଲେଜ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା ଜାରି ରହିଥିବାରୁ ସମସ୍ୟାର ସମାଧାନ ନେଇ ଅନିଶ୍ଚିତତା ଦେଖାଦେଇଛି। ଛାତ୍ରଛାତ୍ରୀଙ୍କ ଦାବି ଓ ଅଭିଯୋଗ ଉପରେ ଆଲୋଚନା କରିବା ପାଇଁ ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ କଲେଜରେ ପହଞ୍ଚିଥିବା ସୂଚନା ମିଳିଛି। ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ନିରପେକ୍ଷତା ରକ୍ଷା ସହ ଉଠିଥିବା ଅଭିଯୋଗର ନିରପେକ୍ଷ ଯାଞ୍ଚ ହିଁ ଏହି ବିବାଦର ସମାଧାନ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି।

