ଭୁବନେଶ୍ୱର,୧୦/୧୦(ପାଇକପୁଅ) ମାନସିକ ସ୍ୱାସ୍ଥ୍ୟ ସେବାକୁ ଅଧିକ ଉନ୍ନତ ଓ ରୋଗୀ କୈନ୍ଦ୍ରିକ କରିବା
ଦିଗରେ ଏକ ନୂଆ ପଦକ୍ଷେପ ସ୍ବରୂପ ଫୁଲନଖରା ସ୍ଥିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍
ହସ୍ପିଟାଲ୍ କ୍ୟାମ୍ପସ –୨ର ମାନସିକ ରୋଗ ବିଭାଗରେ ଡିଜିଟାଲ୍ ବାୟୋଫିଡ୍ବ୍ୟାକ୍ ଥେରାପିର ଶୁଭାରମ୍ଭ
କରାଯାଇଛି ।
ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ପରିପ୍ରେକ୍ଷୀରେ ଶନିବାର ହସ୍ପିଟାଲ୍ ପକ୍ଷରୁ ଏହି ନୂତନ ଚିକିତ୍ସା ପଦ୍ଧତି ସଂପର୍କରେ ସୂଚନା ଦିଆଯାଇଛି । ଏହି ପଦକ୍ଷେପ ମାଧ୍ୟମରେ ପ୍ରମାଣଭିତିକ ଓ ପ୍ରଯୁକ୍ତିବିଦ୍ୟା ସହାୟକ ମାନସିକ
ସ୍ୱାସ୍ଥ୍ୟ ସେବାକୁ ଆହୁରି ସୁଦୃଢ଼ କରିବା ସହ ରୋଗୀଙ୍କ ପାଇଁ ଚିକିତ୍ସାର ଅଧିକ ବିକଳ୍ପ ଉପଲବ୍ଧ କରାଇବା ଲକ୍ଷ୍ୟ
ରଖାଯାଇଛି ।
ଡିଜିଟାଲ୍ ବାୟୋଫିଡ୍ବ୍ୟାକ୍ ଥେରାପି ଏକ ଅଣ-ଶଲ୍ୟ ଚିକିତ୍ସା ପଦ୍ଧତି । ଏହା ମାଧ୍ୟମରେ ବ୍ୟକ୍ତି ନିଜ
ଶରୀରର କିଛି ଶାରୀରିକ ପ୍ରତିକ୍ରିୟାକୁ ବୁଝିବା ସହ ସେଗୁଡ଼ିକୁ ନିୟନ୍ତ୍ରଣ କରିବା ଶିଖିପାରନ୍ତି । ଏହି ଥେରାପି
ଉଦ୍ବେଗ, ଆତଙ୍କଜନିତ ଲକ୍ଷଣ ଓ ଦୈନନ୍ଦିନ ଚାପକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ଏହା ବ୍ୟତୀତ ଟେନ୍ସନ୍ନିତ ମୁଣ୍ଡବିନ୍ଧା, ମାଇଗ୍ରେନ୍, ରକ୍ତଚାପ ନିୟନ୍ତ୍ରଣ, ମାଂସପେଶୀର ପୁନର୍ବାସ ଏବଂ କୋଷ୍ଠକାଠିନ୍ୟ ଓ ଇରିଟେବଲ୍ ବାୱେଲ୍ ସିଣ୍ଡ୍ରୋମ୍ (ଆଇବିଏସ୍) ଭଳି କେତେକ ରୋଗରେ ମଧ୍ୟ ଏହା ସହାୟକ ଚିକିତ୍ସା ଭାବେ
ବ୍ୟବହୃତ ହୋଇଥାଏ ବୋଲି ହସ୍ପିଟାଲର ମାନସିକ ରୋଗ ବିଭାଗର ସହଯୋଗୀ ପ୍ରଫେସର ଡାକ୍ତର ଲଗ୍ନଜିତ୍ ଦାଶ କହିଛନ୍ତି ।
ଏହି ଚିକିତ୍ସା ପଦ୍ଧତିରେ ରୋଗୀଙ୍କ ଚର୍ମରେ ଇଲେକ୍ଟ୍ରୋଡ୍ ବା ସେନ୍ସର ଲଗାଯାଇ ହୃଦସ୍ପନ୍ଦନ,ମାଂସପେଶୀର ଟାଣ ଓ ଅନ୍ୟାନ୍ୟ ଶାରୀରିକ ପ୍ରତିକ୍ରିୟା ସଂପର୍କିତ ସଙ୍କେତ ରେକର୍ଡ କରାଯାଏ । ଏହି ସଙ୍କେତ ଗୁଡ଼ିକୁ ଏକ ମନିଟରରେ ଗ୍ରାଫ୍, ଶବ୍ଦ କିମ୍ବା ଅନ୍ୟାନ୍ୟ ସଙ୍କେତ ମାଧ୍ୟମରେ ପ୍ରଦର୍ଶିତ କରାଯାଏ ।ଫଳରେ ରୋଗୀ ନିଜ ଶରୀରର ପ୍ରତିକ୍ରିୟାକୁ ତତ୍କ୍ଷଣାତ୍ ଜାଣିପାରନ୍ତି ।
ପ୍ରଶିକ୍ଷିତ ଥେରାପିଷ୍ଟଙ୍କ ମାର୍ଗଦର୍ଶନରେ ରୋଗୀମାନେ ଶିଥିଳୀକରଣ ଓ ଆତ୍ମନିୟନ୍ତ୍ରଣ କୌଶଳ ଅଭ୍ୟାସ
କରନ୍ତି । ନିୟମିତ ଅଭ୍ୟାସ ଦ୍ବାରା ସେମାନେ ଯନ୍ତ୍ରର ସହାୟତା ବିନା ମଧ୍ୟ ନିଜ ଶାରୀରିକ ପ୍ରତିକ୍ରିୟାକୁ ଅଧିକ
ଭଲ ଭାବେ ନିୟନ୍ତ୍ରଣ କରିବା ଶିଖିପାରନ୍ତି ।
“ ଏହି ଥେରାପିର ପ୍ରଚଳନ ନବସୃଜନ ଦିଗରେ ଏକ ଛୋଟ ପଦକ୍ଷେପ ହୋଇପାରେ, କିନ୍ତୁ ରୋଗୀଙ୍କୁ ଉନ୍ନତ
ଚିକିତ୍ସା ସେବା ଯୋଗାଇବା ଦିଗରେ ଏହାର ଗୁରୁତ୍ଵ ରହିଛି,” ବୋଲି ଡାକ୍ତର ଦାଶ କହିଛନ୍ତି ।
ଏହି ପଦକ୍ଷେପ ମାଧ୍ୟମରେ ମାନସିକ ସ୍ୱାସ୍ଥ୍ୟ ସେବାରେ ଆଧୁନିକ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରି ରୋଗୀଙ୍କ ସାମଗ୍ରିକ ସ୍ବାସ୍ଥ୍ୟ ଓ ଜୀବନର ଗୁଣବତାରେ ଉନ୍ନତି ଆଣିବା ପାଇଁ ବିଭାଗର ପ୍ରତିବଦ୍ଧତା ପ୍ରତିଫଳିତ
ହୋଇଛି ।

