ବାରିପଦା, ୦୫/୧୦(ପାଇକପୁଅ) ନବଗଠିତ ଓଡ଼ିଶା ଜନତା କଂଗ୍ରେସ (ଓଜେସି) ପକ୍ଷରୁ ଆସନ୍ତା ଅକ୍ଟୋବର ୬ ତାରିଖରେ ମୟୂରଭଞ୍ଜରେ ବିଶାଳ କର୍ମୀ ସମାବେଶ ଓ ମିଶ୍ରଣ ପର୍ବ ଆୟୋଜିତ ହେବ। ଦଳର ପ୍ରତିଷ୍ଠାତା ସଭାପତି ତଥା ପୂର୍ବତନ ବିଧାୟକ ଇଂ. ମହମ୍ମଦ ମୋକିମ ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ବାରିପଦା ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ସମ୍ପାଦକ ତଥା ପ୍ରତିଷ୍ଠାତା ସଦସ୍ୟ ଅଂଶୁମାନ ଦାସ ସୂଚନା ଦେଇଛନ୍ତି. ମୟୂରଭଞ୍ଜ ଜିଲ୍ଲାର ପ୍ରାକୃତିକ ସମ୍ପଦ, ଖଣି-ଖାଦାନ ଓ ପର୍ଯ୍ୟଟନର ଅପାର ସମ୍ଭାବନା ଥିଲେ ମଧ୍ୟ ଜିଲ୍ଲା ବିକାଶ ଦିଗରେ ପଛରେ ପଡ଼ିଛି, ଜିଲ୍ଲାରେ ଦୁର୍ନୀତି ଓ ମାଫିଆରାଜ ବିରୋଧରେ ଜନସ୍ୱରକୁ ତୀବ୍ର କରିବା ସହ ଯୁବପିଢ଼ି ଓ ଆଦିବାସୀ ସମାଜରୁ ତୃଣମୂଳସ୍ତରର ନେତୃତ୍ୱ ସୃଷ୍ଟି କରିବା ଦଳର ମୁଖ୍ୟ ଲକ୍ଷ୍ୟ ବୋଲି କୁହାଯାଇଛି। ଅକ୍ଟୋବର ୬ରେ ପ୍ରଥମେ ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜଦେଓ ଉଚ୍ଚ ବିଦ୍ୟାଳୟରେ ମହାରାଜାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ। ପରେ ଶୋଭାଯାତ୍ରାରେ କର୍ମୀମାନେ ଶହୀଦ ସ୍ମୃତି ଭବନ ପ୍ରାଙ୍ଗଣରେ ପହଞ୍ଚିବେ। ସେଠାରେ ବିଶାଳ କର୍ମୀ ସମାବେଶରେ ଦଳର ରାଜ୍ୟ ନେତୃବୃନ୍ଦ ଉଦ୍ବୋଧନ ଦେବା ସହ ମିଶ୍ରଣ ପର୍ବ ଆୟୋଜିତ ହେବ ବୋଲି ଦଳର ରାଜ୍ୟ ସମ୍ପାଦକ ତଥା ପ୍ରତିଷ୍ଠାତା ସଦସ୍ୟ ଅଂଶୁମାନ ଦାସ ଙ୍କ ସମେତ ମୟୂରଭଞ୍ଜ ଜିଲ୍ଲାର ସମସ୍ତ କର୍ମୀଙ୍କ ସକ୍ରିୟ ସହଯୋଗ କାମନା କରାଯାଇଛି।

