ବାରିପଦା, ୦୧/୧୦(ପାଇକପୁଅ) ମୟୂରଭଞ୍ଜ ଜିଲ୍ଲାର ଜାମସୋଳା ଠାରେ ସାମ୍ବାଦିକ କ୍ଷୀରୋଦ ଚନ୍ଦ୍ର ଦାସଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାର ତଦନ୍ତ ପାଇଁ ଓଡ଼ିଶା ଜର୍ଣ୍ଣାଲିଷ୍ଟସ ୟୁନିଅନ (ଓଜେୟୁ) ପକ୍ଷରୁ ଗଠିତ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ସକ୍ରିୟ ହୋଇଛି। ଟିମର ସଦସ୍ୟ ରାଜ୍ୟ ଉପସଭାପତି ଦୀପକ କୁମାର ନାୟକ, ମୟୁରଭଞ୍ଜ ଜିଲ୍ଲା ସଭାପତି ଅଭିଜିତ ମହାନ୍ତି ଓ ସମ୍ପାଦକ ସାରଦା ପ୍ରସାଦ ବାରିକ ମୟୂରଭଞ୍ଜ ଏସପି ବରୁଣ ଗୁଣ୍ଟୁପାଲିଙ୍କୁ ସାକ୍ଷାତ କରି ଘଟଣାର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିବା ସହ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଓଡ଼ିଶା ଜର୍ଣ୍ଣାଲିଷ୍ଟସ ୟୁନିଅନ (ଓଜେୟୁ) ରାଜ୍ୟ ସଂଘ ପକ୍ଷରୁ ୩୦ ସେପ୍ଟେମ୍ବରରେ ଡିଜିପିଙ୍କୁ ଦିଆଯାଇଥିବା ଦରଖାସ୍ତରେ ଦର୍ଶାଯାଇଛି ଯେ, ସରସକଣା ବ୍ଲକର ପ୍ରଗତିବାଦୀ ଖବରକାଗଜର ବ୍ଲକ ପ୍ରତିନିଧି ତଥା ଓଜେୟୁ ସଦସ୍ୟ କ୍ଷୀରୋଦ ଚନ୍ଦ୍ର ଦାସଙ୍କୁ ସେପ୍ଟେମ୍ବର ୨୭ ରାତିରେ ଜାମସୋଳା ଠାରେ ଆକ୍ରମଣ କରାଯାଇଥିଲା। ଆକ୍ରମଣରେ ସେ ଗୁରୁତର ଆହତ ହୋଇଥିଲେ. ଘଟଣା ପରେ ଝାରପୋଖରିଆ ଥାନାରେ ଅଭିଯୋଗ ଦାଖଲ ହୋଇ ମାମଲା ରୁଜୁ ହୋଇଛି. ତେବେ ଏହି ଘଟଣାରେ ନିରପେକ୍ଷ ଓ ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀଙ୍କ ବିରୋଧରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଓଜେୟୁ ଦାବି କରିଛି।
ଏସପିଙ୍କ ସହ ଆଲୋଚନା ସମୟରେ ଟିମ ପକ୍ଷରୁ ମାମଲାର ତ୍ୱରିତ ତଦନ୍ତ ଏବଂ ଆକ୍ରମଣରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରିବା ସହ ଛୀନତାଇ ହୋଇଥିବା ମୋବାଇଲ ଫୋନକୁ ତୁରନ୍ତ ଠାବକରି ଫେରସ୍ତ ପାଇଁ ଦାବି କରାଯାଇଥିଲା। ଏସପି ଘଟଣାକୁ ଗୁରୁତ୍ୱର ସହ ନେଇ ବାରିପଦା ଏସଡିପିଓ ଓ ଝାରପୋଖରୀଆ ଆଇଆଇସିଙ୍କୁ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହ ଆଇନାନୁଯାୟୀ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି. ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ଆଗାମୀ ଦିନରେ ଘଟଣାସ୍ଥଳ ପରିଦର୍ଶନ କରିବା ସହ ସମ୍ପୃକ୍ତ ପକ୍ଷଙ୍କ ସହ ଆଲୋଚନା କରି ଘଟଣାର ପ୍ରକୃତ ତଥ୍ୟ ସଂଗ୍ରହ କରିବ ବୋଲି ଜଣାପଡ଼ିଛି।

