ମାଲକାନଗିରି,୩୦/୦୯ (ପାଇକପୁଅ) ଚାଲାଣ ପାଇଁ ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇକୁ ଜବତ କରିଛି ପୁଲିସ। ମାଲକାନଗିରି ଜିଲ୍ଲା ବାଲିମେଳା ଛକଠାରୁ ପ୍ରାୟ ୨ କିଲୋମିଟର ଦୂର ନାକାମାମୁଡ଼ି ଗାଁ ନିକଟସ୍ଥ ଜଙ୍ଗଲରେ ପୁଲିସ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ପୁଲିସ ସୂଚନା ଅନୁଯାୟୀ, ୨୯ ତାରିଖରେ ପାଟ୍ରୋଲିଂରେ ଥିବା ଏସ୍ଆଇ ଅଜିତ ସିଂ ବାରିହାଙ୍କୁ ନାକାମାମୁଡ଼ି ନିକଟ ଜଙ୍ଗଲରେ ବିପୁଳ ପରିମାଣର ଗଞ୍ଜେଇ ଲୁଚାଇ ରଖାଯାଇଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ଏହାପରେ ପୁଲିସ ଟିମ୍ ସେଠାରେ ଚଢ଼ାଉ କରି ୬ଟି ବସ୍ତାରେ ଥିବା ମୋଟ ୧୫୦ କେଜି ଗଞ୍ଜେଇ ଜବତ କରିଥିଲା। ଏଥିସହ ଘଟଣାସ୍ଥଳରୁ ଏକ ନୀଳ ରଙ୍ଗର ଟିଭିଏସ ମୋଟରସାଇକେଲ ମଧ୍ୟ ଜବତ କରାଯାଇଛି। ଏହି ଘଟଣାରେ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ବାଗ୍ରିଆଗୁଡ଼ା ଗ୍ରାମର ଭଗବାନ ହନ୍ତାଳ (୧୯) ଓ ଦଲବନ୍ଧୁ ମୁଦୁଲି (୧୯)ଙ୍କୁ ପୁଲିସ ଗିରଫ କରିଛି। ତଦନ୍ତରେ ସିଡିପାକା ଗ୍ରାମର ରଘୁନାଥ ହନ୍ତାଳ ଗଞ୍ଜେଇର ମାଲିକ ବୋଲି ଜଣାପଡ଼ିଥିବା ପୁଲିସ ପକ୍ଷରୁ କୁହାଯାଇଛି। ଏନେଇ ଓର୍କେଲ ଥାନାରେ କେସ୍ ନଂ ୨୮୮/୨୬ ରୁଜୁ କରାଯାଇ ତଦନ୍ତ ଜାରି ରହିବା ସହ ଗିରଫ ୨ ଅଭିଯୁକ୍ତଙ୍କୁ ବୁଧବାର କୋର୍ଟଚାଲାଣ କରାଯାଇଥିବା ଥାନାଧିକାରୀ ରିଗାନ କିଣ୍ଡୋ କହିଛନ୍ତି।

