ଭୁବନେଶ୍ୱର, ୨୯/୦୯ (ପାଇକପୁଅ )ଭୁବନେଶ୍ୱର ବରମୁଣ୍ଡାସ୍ଥିତ ଅଙ୍ଗନବାଡି କେନ୍ଦ୍ରଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ‘ଆଙ୍ଗନ୍ କା ଉତ୍ସବ’ ଏବଂ ‘୯ମ ରାଷ୍ଟ୍ରୀୟ ପୋଷଣ ମାସ’ ପାଳିତ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେ କହିଥିଲେ ଯେ, ଏକ ସୁ-ପୋଷିତ ଓଡ଼ିଶା ଗଠନ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ମହିଳା ଓ ଶିଶୁମାନଙ୍କ ପୋଷଣରେ ଉନ୍ନତି ଆଣିବା ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଅଙ୍ଗନବାଡି ଓ ସ୍କୁଲ ଜରିଆରେ ଅନେକ ପୋଷଣ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଏଥିରେ ଆହୁରି ଉନ୍ନତି ଆଣିବା ପାଇଁ ପୁରା ପରିବାରକୁ ସାମିଲ କରାଯାଉଛି । ପରିବାରର ମହିଳାମାନଙ୍କ ସହିତ ପୁରୁଷମାନଙ୍କୁ ମଧ୍ୟ ଶିଶୁର ପୌଷ୍ଟିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ସଂଶ୍ଳିଷ୍ଟ କରାଯାଉଛି । ସଚେତନତା ଓ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ଜରିଆରେ ଆମ ଓଡ଼ିଶାକୁ ନିଶ୍ଚିତ ଭାବରେ ଏକ ସୁ-ପୋଷିତ ଓଡ଼ିଶା ଭାବେ ପ୍ରତିଷ୍ଠିତ କରାଯିବ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅଙ୍ଗନବାଡି ପିଲାମାନଙ୍କୁ ସ୍କୁଲ କିଟ୍ ବଣ୍ଟନ କରିବା ସହ ସ୍ୱାସ୍ଥ୍ୟକର ଖାଦ୍ୟ ପ୍ରଦର୍ଶନ ପାଇଁ ବାପାମାନଙ୍କୁ ପୁରସ୍କୃତ କରିଥିଲେ । ଏହା ସହ ଅଙ୍ଗନବାଡି କର୍ମୀ, ସହାୟିକା ଓ ଆଶା କର୍ମୀମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି । ମୁଖ୍ୟମନ୍ତ୍ରୀ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରି ‘ତ୍ରିରଙ୍ଗା ଥାଳି’ ଓ ଗରମ ରନ୍ଧା ଖାଦ୍ୟର ଗୁଣବତ୍ତା ଅନୁଧ୍ୟାନ କରିଥିଲେ ଏବଂ ପିଲାମାନଙ୍କୁ ଖାଦ୍ୟ ମଧ୍ୟ ପରଷି ଥିଲେ । ଏହି ସମାରୋହରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂ, ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଡକ୍ଟର ମୃଣାଳିନୀ ଦର୍ସ୍ୱାଲ, ବିଭାଗୀୟ ନିର୍ଦ୍ଦେଶକା ମୋନିଷା ବାନାର୍ଜୀଙ୍କ ସମେତ ବହୁ ବିଶିଷ୍ଟ ଅତିଥି, ଅଙ୍ଗନବାଡ଼ି କର୍ମୀ, ସହାୟିକା, ଆଶା କର୍ମୀ, ଶିଶୁ ଓ ସେମାନଙ୍କ ଅଭିଭାବକମାନେ ଉପସ୍ଥିତ ଥିଲେ।

