ବାରିପଦା, ୧୦/୦୯(ପାଇକପୁଅ) ଶିଳ୍ପ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ସହଭାଗିତାକୁ ସୁଦୃଢ଼ କରିବା ସହ ମୟୂରଭଞ୍ଜର ଯୁବପିଢ଼ିଙ୍କ ପାଇଁ ଉତ୍ତମ ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ମୟୂରଭଞ୍ଜ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଏମସିସିଆଇ) ଏବଂ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣା ପତ୍ର କୁଳପତି ପ୍ରଫେସର ଡ଼. ମହେନ୍ଦ୍ର କୁମାର ମହାନ୍ତିଙ୍କ ପ୍ରକୋଷ୍ଠରେ ସ୍ୱାକ୍ଷରିତ ହୋଇଛି।ମୟୂରଭଞ୍ଜ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ସଭାପତି ରୋଟାରିଆନ ନିରୋଜ କୁମାର ପଣ୍ଡା ତଥା ବିଶ୍ୱବିଦ୍ୟାଳୟର ଅନ୍ୟ କର୍ମଚାରୀଙ୍କ ଉସ୍ଥିତିରେ ଚାମ୍ବର ପକ୍ଷରୁ ସମ୍ପାଦକ ଇଂ. ସୌମ୍ୟରଞ୍ଜନ ମିଶ୍ର ଏବଂ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁଳସଚିବ ସୁମିତା ସିଂହ ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ।ଏହି ବୁଝାମଣା ପତ୍ର ମାଧ୍ୟମରେ ମିଳିତ ତଥା ଶିଳ୍ପ-ପ୍ରାୟୋଜିତ ଗବେଷଣା, ପ୍ରତ୍ୟକ୍ଷ ଶିଳ୍ପ ପ୍ରକଳ୍ପ, ପ୍ରୋଟୋଟାଇପିଂ, ପେଟେଣ୍ଟ, ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର ଏବଂ ବ୍ୟବସାୟୀକରଣକୁ ପ୍ରୋତ୍ସାହନ ଦିଆଯିବା ସହିତ ସମ୍ପୃକ୍ତ ସରକାରୀ ଯୋଜନା ଓ ଆର୍ଥିକ ସହାୟତା ବିଷୟରେ ସଚେତନତା ସୃଷ୍ଟି କରି ଜାତୀୟ ଶିକ୍ଷାନୀତି ୨୦୨୦ ସହିତ ତାଳ ଦେଇ, ଅନୁଭୂତିଭିତ୍ତିକ ଶିକ୍ଷା, ନିଯୁକ୍ତି ଯୋଗ୍ୟତା, ଉଦ୍ଭାବନ ଏବଂ ଉଦ୍ୟୋଗୀତାକୁ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ରଖା ଯାଇଛି।

