ମାଲକାନଗିରି, ୦୯/୦୯ (ପାଇକପୁଅ)ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ଦିନକୁ ଦିନ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଅଭିଯୋଗ ହେବା ପରେ ଅଞ୍ଚଳରେ ଚିନ୍ତା ବଢ଼ିଛି। ବିଶେଷକରି ଛୋଟ ଛୋଟ ଶିଶୁ ଜଣ୍ଡିସରେ ଆକ୍ରାନ୍ତ ହେଉଥିବାରୁ ଅଭିଭାବକଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଇଛି। ଏପଟେ ଅଞ୍ଚଳର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଓ ପାନୀୟଜଳର ସ୍ୱଚ୍ଛତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ବିଭିନ୍ନ କୂଅ ଓ ନଳକୂପ ଚାରିପାଖରେ ଅଳିଆ ଆବର୍ଜନା ଜମି ରହିବା ସହ ଅପରିଷ୍କାର ପାଣି ଜମି ରହୁଛି। ଫଳରେ ପାନୀୟଜଳ ଦୂଷିତ ହେବାର ଆଶଙ୍କା ବଢ଼ିଛି। ଏଭଳି ପରିସ୍ଥିତିରେ ଦୂଷିତ ଜଳ ବ୍ୟବହାର ଯୋଗୁଁ ଜଣ୍ଡିସ ବ୍ୟାପୁଥିବା ନେଇ ଲୋକେ ଆଶଙ୍କା ପ୍ରକାଶ କରୁଛନ୍ତି। ପରିମଳ ବ୍ୟବସ୍ଥା ସୁଧାରିବା ସହ ପାନୀୟଜଳର ଗୁଣବତ୍ତା ଯାଞ୍ଚ ଉପରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି। ଅନ୍ୟପକ୍ଷରେ ଚିତ୍ରକୋଣ୍ଡା ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣ୍ଡିସ ପରୀକ୍ଷା ପାଇଁ ଆବଶ୍ୟକ କେମିକାଲ ଉପଲବ୍ଧ ନଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ଏହା ଫଳରେ ରୋଗ ଚିହ୍ନଟ ଓ ଚିକିତ୍ସା ପ୍ରକ୍ରିୟା ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କେତେକ ରୋଗୀ ଡାକ୍ତରୀ ଔଷଧ ସେବନ କରୁଥିବା ବେଳେ ଆଉ କେତେକ ପାରମ୍ପରିକ ଚିକିତ୍ସା ଉପରେ ନିର୍ଭର କରୁଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଡାକ୍ତର ବିପୁଳ ବୈଭବ କହିଛନ୍ତି ଯେ, ପ୍ରାୟ ୨୫ ଦିନ ହେଲା ଚିତ୍ରକୋଣ୍ଡା ଅଞ୍ଚଳରେ ଜଣ୍ଡିସ ମାମଲା ସାମ୍ନାକୁ ଆସୁଛି। ଅଞ୍ଚଳର ୩୫ଟି କୂଅ ଓ ୧୨ଟି ନଳକୂପରୁ ପାଣି ନମୁନା ସଂଗ୍ରହ କରାଯାଇ ଯାଞ୍ଚ କରାଯିବା ସହ କ୍ଲୋରିନେସନ ପ୍ରକ୍ରିୟା କରାଯିବ। ଜଣ୍ଡିସ ନିୟନ୍ତ୍ରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ସଜାଗ ରହିଥିବା ସେ କହିଛନ୍ତି। ଜଣ୍ଡିସ ଭଳି ଜଳବାହିତ ରୋଗର ମୁକାବିଲା କେବଳ ଔଷଧ ବଣ୍ଟନରେ ସୀମିତ ରହିଲେ ହେବ ନାହିଁ। ବିଶୁଦ୍ଧ ପାନୀୟଜଳ, ନିୟମିତ ପାଣି ପରୀକ୍ଷା, କୂଅ ଓ ନଳକୂପର ସ୍ୱଚ୍ଛତା, ଅଳିଆ ଆବର୍ଜନାର ସୁପରିଚାଳନା ଏବଂ ନିୟମିତ ପରିମଳ ବ୍ୟବସ୍ଥା ହିଁ ରୋଗ ନିୟନ୍ତ୍ରଣର ମୁଖ୍ୟ ଆଧାର। ତେଣୁ ସ୍ୱାସ୍ଥ୍ୟ ବିଭାଗ ସହ ବ୍ଲକ ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ସମନ୍ୱୟରେ ତୁରନ୍ତ ଠୋସ୍ ପଦକ୍ଷେପ ନେବା ଆବଶ୍ୟକ। ନଚେତ ଜଣ୍ଡିସ ସଙ୍କଟ ଆଗକୁ ଆହୁରି ଗମ୍ଭୀର ରୂପ ନେବାର ଆଶଙ୍କା ରହିଛି।

