ବାରିପଦା, ୩୧/୦୭(ପାଇକପୁଅ)ମୟୂରଭଞ୍ଜ ଜିଲ୍ଲା ଖଣି ବିଭାଗର କନିଷ୍ଠ ଖଣି ଅଧିକାରୀ ଭବାନୀ ଶଙ୍କର ପାତ୍ର, ମୁଖ୍ୟ ଖଣି ଅଧିକାରୀ ପୀତାମ୍ବର ମହାନ୍ତ ଏବଂ କମ୍ପ୍ୟୁଟର ଡାଟା ସପୋର୍ଟ ଆସିଷ୍ଟାଣ୍ଟ ଅବିନାଶ ଦାସଙ୍କ ବିରୋଧରେ ବ୍ୟାପକ ଦୁର୍ନୀତି, ଜନସାଧାରଣଙ୍କୁ ଶୋଷଣ ଏବଂ ଆଦିବାସୀ ସମ୍ପ୍ରଦାୟର ଲୋକଙ୍କୁ ଜାତିଗତ ଆକ୍ଷେପ ଓ ଅସାଂସଦୀୟ ଭାଷାରେ ଗାଳିଗୁଲଜ କରିଥିବା ନେଇ ହୋଇଥିବା ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ପେସା ଯୁବସଂଗଠନ ପକ୍ଷରୁ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ଘେରାଓ କରାଯାଇଛି।ସୂଚନା ଅନୁସାରେ, କନିଷ୍ଠ ଖଣି ଅଧିକାରୀ ଭବାନୀ ଶଙ୍କର ପାତ୍ର ନିଜକୁ ଜିଲ୍ଲାର ମୁଖ୍ୟ ଦାୟିତ୍ୱରେ ଥିବା ଦର୍ଶାଇ କମ୍ପ୍ୟୁଟର ଆସିଷ୍ଟାଣ୍ଟ ଅବିନାଶ ଦାସ ଓ ଅନ୍ୟ ଅଧିକାରୀଙ୍କ ସହ ମିଶି ସାଧାରଣ ଜନତାଙ୍କୁ ଶୋଷଣ କରିବା ସହ ସରକାରୀ ରାଜସ୍ୱ ହଡ଼ପ କରୁଥିବା ଅଭିଯୋଗ ହୋଇଛି। ଏହା ସହିତ କନିଷ୍ଠ ଖଣି ଅଧିକାରୀ ଶ୍ରୀ ପାତ୍ର ସାନ୍ତାଳ ସମ୍ପ୍ରଦାୟର ସାମାଜିକ କର୍ମୀ ଓ ସାଧାରଣ ଆଦିବାସୀ ଲୋକଙ୍କୁ ଅତ୍ୟନ୍ତ ନିନ୍ଦନୀୟ, କଟୁ ଓ ଜାତିଗତ ଆକ୍ଷେପପୂର୍ଣ୍ଣ ଭାଷାରେ ଗାଳିଗୁଲଜ କରିବା ସହ ଧମକଚମକ ଦେଇଥିଲେ।
ଏହି ସମ୍ପର୍କରେ ଗତ ଜୁଲାଇ ୧୫ ତାରିଖରେ ବଡ଼ସାହି ଥାନାରେ କେସ ନଂ- ୩୧୨/୨୦୨୬ ଏକ ମାମଲା ରୁଜୁ ହୋଇଥିଲା. ତେବେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ, ଗତ ଜୁଲାଇ ୨୧ ତାରିଖରେ ମୟୂରଭଞ୍ଜ ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଲିଖିତ ଅଭିଯୋଗ କରାଯାଇଥିଲା. ଅଭିଯୋଗର ୭ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନନେବାରୁ ଜିଲ୍ଲା ପାଳଙ୍କୁ ମଧ୍ୟ ଅବଗତ କରାଯାଇଥିଲା।ତେବେ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଆଦିବାସୀ ସମ୍ପ୍ରଦାୟ ଓ ସାଧାରଣ ଜନତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଅନ୍ୟପଟେ, ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଅଡିଓ ରେକର୍ଡିଂରୁ ଜଣାପଡ଼ିଛି ଯେ, ଖଣି ବିଭାଗର ବେଆଇନ କାର୍ଯ୍ୟକଳାପ ଓ ଚଢ଼ାଉ ନାଁରେ କୋମଳ ମନୋଭାବ ପୋଷଣ କରିବା ପ୍ରଶ୍ନରେ ଅଧିକାରୀ ଜଣକ ସାମାଜିକ କର୍ମୀଙ୍କ ଉପରେ ଚାପ ପକାଇବା ସହ ନିଜ ସଫେଇରେ କହିଛନ୍ତି ଯେ, ସେ ସମଗ୍ର ଜିଲ୍ଲା ଦାୟିତ୍ୱରେ ଅଛନ୍ତି ଏବଂ ଆଇନଗତ ପ୍ରକ୍ରିୟା ଅନୁସାରେ କାର୍ଯ୍ୟ କରୁଛନ୍ତି। ତେବେ ସରକାର ଦୁଇଜଣ ନୂତନ ଅଧିକାରୀଙ୍କୁ ନିଯୁକ୍ତି ଦେଇଥିଲେ ହେଁ ସେମାନଙ୍କୁ ଦାୟିତ୍ୱ ହସ୍ତାନ୍ତର ନକରି ପୁରୁଣା ଅଧିକାରୀ ମାନେ ନିଜ ସ୍ୱାର୍ଥ ହାସଲ ପାଇଁ ପଦବୀ ମାଡ଼ି ବସିଥିବା ଅଭିଯୋଗ ହୋଇଛି।
ଆଜି ପେସା ୟୁଥ ଗ୍ରୁପର ଜିଲ୍ଲା ସଭାପତି ଦୁଲାରାମ ମୁର୍ମୁଙ୍କ ନେତୃତ୍ୱରେ ଯୁବ ସଂଗଠକ ଦୁର୍ଗା ଚରଣ ମାରାଣ୍ଡି, କରୁଣା କର ମାରାଣ୍ଡି, ବିରାମ ଚରଣ ମୁର୍ମୁ, ଲକ୍ଷ୍ମଣ ମୁର୍ମୁ, ସମ୍ରାୟ ବାସ୍କେ ପ୍ରମୁଖଙ୍କ ତତ୍ୱାବଧାନରେ ଶତାଧିକ ମହିଳା ପୁରୁଷ ମଧୁବନ ପଡିଆ ନିକଟରୁ ଏକ ବିକ୍ଷୋଭ ଶୋଭାଯାତ୍ରା ରେ ଆସି ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରି ଦୁର୍ନୀତିଗ୍ରସ୍ତ ଖଣି ଅଧିକାରୀ ଭବାନୀ ଶଙ୍କର ପାତ୍ର, ପୀତାମ୍ବର ମହାନ୍ତ ଓ ଅବିନାଶ ଦାସଙ୍କ ବିରୋଧରେ ତୁରନ୍ତ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ ଗିରଫ କରାଯିବାକୁ ଦାବୀ କରାଯାଇଛି।ଏବାବଦରେ ଜିଲ୍ଲାପାଳ ହେମକାନ୍ତ ସୟ ଘଟଣା ବାବଦରେ ସବିଶେଷ ତଦନ୍ତ ଚାଲିଛି।ଯଦି ଅଧିକାରୀ ବେଆଇନ କାର୍ଯ୍ୟ କରିଥିବାର ପ୍ରମାଣିତ ହୁଏ ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିକ୍ରିୟାରେ କହିଛନ୍ତି।

