ବାରିପଦା,୩୦/୦୭(ପାଇକପୁଅ)ବାରିପଦା ସହରରେ ରାସ୍ତା ଧସିଯିବାରୁ ଏକ ଯାତ୍ରୀବାହୀ ବସ ତଳକୁ ଖସିପଡ଼ିଛି।ଏଥିରେ ବସର ହେଲପର ଗୁରୁତର ଆହତ ହୋଇଥିବା ବେଳେ ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।ଘଟଣାଟି ବାରିପଦା ସହରର ବସଷ୍ଟାଣ୍ଡ ନିକଟସ୍ଥ ବାଘଡା ରୋଡର ମଧ୍ୟଭାଗରେ ଘଟିଛି। ସୂଚନା ଅନୁସାରେ, ବସଟିର ଛାଡ଼ିବା ସମୟ ହୋଇନଥିବାରୁ ରାସ୍ତା କଡ଼ରେ ଛିଡ଼ା କରାଯାଇଥିଲା ଏହି ସମୟରେ ହଠାତ ରାସ୍ତାର ଗାର୍ଡୱାଲ ସହ ମାଟି ଧସିଯିବାରୁ ବସଟି ତଳକୁ ପଲଟି ଯାଇଥିଲା।
ଦୂର୍ଘଟଣା ବେଳେ ବସରେ କୌଣସି ଯାତ୍ରୀ ନଥିବାରୁ ଏକ ବଡ଼ ଅଘଟଣ ଟଳିଯାଇଛି।ତେବେ ବସର ହେଲପର ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ, ସତ୍ୟସାଇ ଛକରୁ ବାଘଡା ରୋଡ଼ ରାସ୍ତା ପାର୍ଶ୍ଵରେ ବେଆଇନ ଭାବରେ ଦୀର୍ଘଦିନ ଧରି ବହୁ ସଂଖ୍ୟାରେ ବସ ବେଆଇନ ପାର୍କିଙ୍ଗ କରାଯାଉଛି। ଏବାବଦରେ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ ବିଭାଗୀୟ କର୍ତୃପକ୍ଷ ଏନେଇ ନୀରବ ରହୁଥିଲେ। ସଂଖ୍ୟାଧିକ ବସ ରାସ୍ତା କଡ଼ ଗାଡ଼ୱାଲକୁ ଲାଗି ଦୀର୍ଘ ଦିନ ଧରି ଛିଡା ହୋଇ ରହୁ ଥିବାରୁ ଗାଡ଼ୱାଲ ଦୁର୍ବଳ ହୋଇ ଫାଟ ସୃଷ୍ଟି ହୋଇଥିଲା।ଏବେ ଲଗାତର ବର୍ଷା ଲାଗି ରହିଥିବାରୁ ଗାଡ଼ ୱାଲ ଟି ଅଧିକ ଦୁର୍ବଳ ହୋଇ ପଡ଼ିଥିଲା।ତେବେ ପୂର୍ବରୁ ଫାଟ ସୃଷ୍ଟି ହୋଇଥିବାରୁ ସେଠାରେ ଗାଡ଼ି ପାର୍କିଂ ନକରିବାକୁ ପୌରପରିଷଦ ପକ୍ଷରୁ ସତର୍କ କରାଯାଇଥିଲା।ତଥାପି ସେଠାରେ ବସଟି ଛିଡ଼ା କରାଯାଇଥିବା ବେଳେ ଆଜି ଏହି ଦୁର୍ଘଟଣା ଘଟିଛି।

