ଯୋଡ଼ା, ୨୪/୦୬(ପାଇକପୁଅ)ଯୋଡ଼ା ପୌରପାଳିକା ଅନ୍ତର୍ଗତ ୧୧ ନମ୍ବର ୱାର୍ଡ କମରଯୋଡ଼ା ଏବଂ ୧୨ ନମ୍ବର ୱାର୍ଡ ବାଂଶପାଣି ମଧ୍ୟଭାଗରେ ଅବସ୍ଥିତ ପ୍ରାୟ ୧୧ ଏକର ୬୮ ଡିସମିଲ ପରିମିତ ଜମି ଉପରେ ଥିବା ଲାଲବନ୍ଧ ପୋଖରୀ ଆଜି ଅବହେଳାର ଶିକାର ହୋଇପଡ଼ିଛି। ଏକଦା ଅଞ୍ଚଳବାସୀଙ୍କ ଜୀବନରେଖା ଭାବେ ପରିଚିତ ଏହି ବୃହତ ଜଳାଶୟର ପୁନରୁଦ୍ଧାର ପାଇଁ ୨୦୧୯-୨୦ ଆର୍ଥିକ ବର୍ଷରେ ଓଡ଼ିଶା ମାଇନିଂ ଏରିଆ ଡେଭେଲପମେଣ୍ଟ କର୍ପୋରେସନ (ଓଏମ୍ବିଏଡିସି) ପକ୍ଷରୁ ୬ କୋଟି ୩୧ ଲକ୍ଷ ଟଙ୍କାର ଏକ ପ୍ରକଳ୍ପ ଆରମ୍ଭ କରାଯାଇଥିଲା। ମାତ୍ର ପ୍ରକଳ୍ପ ଆରମ୍ଭ ହେବାର ସାତ ବର୍ଷ ପରେ ମଧ୍ୟ ଏହାର କାମ ସମ୍ପୂର୍ଣ୍ଣ ହୋଇପାରିନଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଓ କ୍ଷୋଭ ପ୍ରକାଶ ପାଇଛି।
ମିଳିଥିବା ସୂଚନା ଅନୁଯାୟୀ, ପୋଖରୀର ମାଟି ଖୋଳା ଓ ପ୍ରାଥମିକ ବିକାଶ କାର୍ଯ୍ୟ ବାବଦରେ ୨ କୋଟି ଟଙ୍କାରୁ ଅଧିକ ବ୍ୟୟ ହୋଇସାରିଥିବା କୁହାଯାଉଛି। କିନ୍ତୁ ପ୍ରାରମ୍ଭିକ କାମ ପରେ ପ୍ରକଳ୍ପଟି ଅଚାନକ ଅଟକି ଯାଇଥିଲା। ୨୦୨୬ ମସିହା ପହଞ୍ଚିଥିଲେ ମଧ୍ୟ କାର୍ଯ୍ୟ ପୁନ ଆରମ୍ଭ ହୋଇନଥିବାରୁ ଲାଲବନ୍ଧ ପୋଖରୀ ଏବେ ଜଙ୍ଗଲ ଓ ଅନାବନା ଗଛଲତାରେ ଆଚ୍ଛାଦିତ ହୋଇପଡ଼ିଛି। ଯେଉଁ ସ୍ଥାନରେ ଆଧୁନିକ ଜଳ ସଂରକ୍ଷଣ ବ୍ୟବସ୍ଥା ଓ ସୌନ୍ଦର୍ଯ୍ୟକରଣ ହେବାର ଯୋଜନା ଥିଲା, ସେଠାରେ ଆଜି ଅବ୍ୟବସ୍ଥା ଓ ଅବହେଳାର ଚିତ୍ର ଦେଖିବାକୁ ମିଳୁଛି।ସରକାର ଙ୍କ ପାଣ୍ଠିରୁ ବହୁ ପରିମାଣରେ ଅର୍ଥ ଖର୍ଚ୍ଚ ହୋଇଥିଲେ ମଧ୍ୟ ତାହା ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଛି।
ଲାଲବନ୍ଧ କେବଳ ଏକ ପୋଖରୀ ନୁହେଁ, ବରଂ ଏହା ସ୍ଥାନୀୟ ପରିବେଶ ଓ ଜଳ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଚାରିପାଖରେ ଥିବା ପାହାଡ଼ ଓ ଜଙ୍ଗଲ ଅଞ୍ଚଳରୁ ବର୍ଷସାରା ବିଭିନ୍ନ ଝରଣା ଓ ଜଳଧାରାର ପାଣି ଏହି ପୋଖରୀରେ ଆସି ଜମା ହୋଇଥାଏ। ଫଳରେ ବର୍ଷର ସମସ୍ତ ସମୟରେ ପୋଖରୀରେ ପାଣି ରହିଥାଏ। ଏଠାରୁ ଅଧିକ ପାଣି ନାଳ ମାଧ୍ୟମରେ ବାହାରି ଯୋଡ଼ା ଅଞ୍ଚଳ ଦେଇ ପ୍ରବାହିତ ହୋଇ ସୁନା ନଦୀରେ ମିଶିଥାଏ। ଏହି ଜଳାଶୟ ଦୀର୍ଘ ଦିନ ଧରି ଭୂଗର୍ଭ ଜଳସ୍ତର ବଜାୟ ରଖିବା ସହିତ ଅଞ୍ଚଳର ପରିବେଶୀୟ ସନ୍ତୁଳନ ରକ୍ଷାରେ ମଧ୍ୟ ମୁଖ୍ୟ ଭୂମିକା ନିଭାଇ ଆସୁଛି।
ଲାଲବନ୍ଧ ଉପରେ ନିର୍ଭର କରୁଥିଲେ ହଜାର ହଜାର ଲୋକ ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ବାଂଶପାଣି ଓ କମରଯୋଡ଼ା ଅଞ୍ଚଳର ଲୋକମାନେ ଦୀର୍ଘ ଦଶନ୍ଧି ଧରି ଲାଲବନ୍ଧ ପୋଖରୀ ଉପରେ ବିଭିନ୍ନ ପ୍ରକାରରେ ନିର୍ଭର କରି ଆସୁଥିଲେ। ପୋଖରୀର ପାଣି ପଶୁପାଳନ, କୃଷି ଓ ଅନ୍ୟାନ୍ୟ ଆବଶ୍ୟକ କାର୍ଯ୍ୟରେ ବ୍ୟବହୃତ ହେଉଥିଲା। ଏହାସହ ଏହି ଜଳାଶୟ ସ୍ଥାନୀୟ ଜୈବ ବିବିଧତାର ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଚିତ ଥିଲା। କିନ୍ତୁ ଗତ ୬ରୁ ୭ ବର୍ଷ ମଧ୍ୟରେ ପ୍ରକଳ୍ପର ଅସମ୍ପୂର୍ଣ୍ଣତା ଓ ପ୍ରଶାସନିକ ଉଦାସୀନତା କାରଣରୁ ଏହି ଅଞ୍ଚଳର ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପୋଖରୀର ନିୟମିତ ରକ୍ଷଣାବେକ୍ଷଣ ନ ହେବାରୁ ପାଣିର ଗୁଣବତ୍ତା ହ୍ରାସ ପାଇବା ସହିତ ଜଳଧାରଣ କ୍ଷମତା ମଧ୍ୟ ପ୍ରଭାବିତ ହେଉଛି। ବର୍ଷା ଋତୁରେ ଜଳ ନିଷ୍କାସନ ବ୍ୟବସ୍ଥା ଠିକ୍ ନ ଥିବାରୁ ଆଖପାଖ ଅଞ୍ଚଳରେ ଜଳଜମା ସମସ୍ୟା ଦେଖାଦେଉଥିବା ଅଭିଯୋଗ ହେଉଛି। ସ୍ଥାନୀୟ ବୁଦ୍ଧିଜୀବୀ ଓ ସମାଜସେବୀମାନେ ପ୍ରଶ୍ନ ଉଠାଇଛନ୍ତି ଯେ, ଯେଉଁ ପ୍ରକଳ୍ପ ପାଇଁ କୋଟି କୋଟି ଟଙ୍କା ମଞ୍ଜୁର ହୋଇଥିଲା ଓ ଯାହା ଦ୍ୱାରା ସମଗ୍ର ଅଞ୍ଚଳର ଜଳ ସମସ୍ୟାର ସ୍ଥାୟୀ ସମାଧାନ ହେବାର ଆଶା କରାଯାଇଥିଲା, ସେହି ପ୍ରକଳ୍ପ କାହିଁକି ଅଧାରେ ଅଟକି ରହିଛି? ବ୍ୟୟ ହୋଇଥିବା ଅର୍ଥର ହିସାବ, କାମର ବର୍ତ୍ତମାନ ସ୍ଥିତି ଏବଂ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାର ସମ୍ଭାବ୍ୟ ସମୟସୀମା ସମ୍ପର୍କରେ ସ୍ପଷ୍ଟ ତଥ୍ୟ ପ୍ରକାଶ କରିବାକୁ ସେମାନେ ଦାବି କରିଛନ୍ତି।
ଅଞ୍ଚଳବାସୀଙ୍କ ମତରେ, ଲାଲବନ୍ଧ ପୋଖରୀର ପୁନରୁଦ୍ଧାର କାମ ଶୀଘ୍ର ସମ୍ପୂର୍ଣ୍ଣ କରାଗଲେ ଏହା କେବଳ ଜଳ ସଂରକ୍ଷଣରେ ସହାୟକ ହେବ ନାହିଁ, ବରଂ ପରିବେଶ ସୁରକ୍ଷା, ଭୂଗର୍ଭ ଜଳସ୍ତର ବୃଦ୍ଧି ଏବଂ ସ୍ଥାନୀୟ ଲୋକଙ୍କ ଜୀବନଜୀବିକାରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇବ। ତେଣୁ ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପ ପ୍ରତି ତୁରନ୍ତ ଦୃଷ୍ଟି ଦେଇ କାର୍ଯ୍ୟ ଆରମ୍ଭ କରିବାକୁ ଅଞ୍ଚଳବାସୀ ଜୋରଦାର ଦାବି କରିଛନ୍ତି।

