ଯୋଡ଼ା,୨୧/୦୬(ପାଇକପୁଅ) ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଏବଂ ପୌରପାଳିକା ତରଫରୁ କୋମାରଯୋଡ଼ା ନିକଟରେ ଥିବା ଇଣ୍ଡୋର ଷ୍ଟାଡିୟମ ଏବଂ କଲ୍ୟାଣ ମଣ୍ଡପ ରେ ଯୋଗ ଶିବିରର ଆୟୋଜନ କରାଯାଇଥିଲା। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡେନିଷ ବେହେରା ଏବଂ ଯୋଡ଼ା ପୋୖରନିର୍ବାହୀ ଅଧିକାରୀ ଶ୍ଵେତପଦ୍ମା ଧଳ ଙ୍କ ନେତୃତ୍ୱରେ ଆୟୋଜିତ ଉଭୟ କାର୍ଯ୍ୟକ୍ରମରେ, ଯୋଡ଼ା ନଗରପାଳ ଜଗଦୀଶ ସାହୁ ,ସାଂସଦ ପ୍ରତିନିଧି ଅଗୁନୁ ଚରଣ ମହାନ୍ତ, ବି.ଏନ.ଦାସ , ବିଜେପି ଜିଲ୍ଲା ଅନୁଚିତ ଜାତି ସେଲ ସାଧାରଣ ସମ୍ପାଦକ କୃଷ୍ଣ ଚନ୍ଦ୍ର ପାତ୍ର,ବିଭିନ୍ନ ବିଭାଗର ଅଧିକାରୀ, ଶିକ୍ଷକ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକ ଅଂଶଗ୍ରହଣ କରିଥିଲେ।କାର୍ଯ୍ୟକ୍ରମ ଆରମ୍ଭରେ ଯୋଗର ମହତ୍ତ୍ୱ ସମ୍ପର୍କରେ ଆଲୋଚନା କରାଯାଇଥିଲା। ବିଡିଓ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ନିୟମିତ ଯୋଗାଭ୍ୟାସ ଦ୍ୱାରା ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରହିଥାଏ। ଆଧୁନିକ ଜୀବନଶୈଳୀରେ ବିଭିନ୍ନ ରୋଗ ଓ ମାନସିକ ଚାପରୁ ମୁକ୍ତି ପାଇବା ପାଇଁ ଯୋଗ ଏକ ସହଜ ଓ ପ୍ରଭାବଶାଳୀ ମାଧ୍ୟମ ବୋଲି ସେ କହିଥିଲେ।

ଏହି ଅବସରରେ ପ୍ରଶିକ୍ଷକଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ଯୋଗାସନ, ପ୍ରାଣାୟାମ ଓ ଧ୍ୟାନ ପ୍ରକ୍ରିୟାର ପ୍ରଦର୍ଶନ କରାଯାଇଥିଲା। ଉପସ୍ଥିତ ସମସ୍ତେ ଉତ୍ସାହର ସହିତ ଯୋଗାଭ୍ୟାସରେ ସାମିଲ ହୋଇଥିଲେ।
କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ନିଜ ଦୈନନ୍ଦିନ ଜୀବନରେ ଯୋଗକୁ ସାମିଲ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା। ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ଯୋଗ ଦିବସ କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ସହ ଲୋକଙ୍କ ମଧ୍ୟରେ ଯୋଗ ପ୍ରତି ଆଗ୍ରହ ସୃଷ୍ଟି କରିଥିବା ଦେଖାଯାଇଛି।

