ବାରିପଦା,୧୭/୦୬(ପାଇକପୁଅ)ବାରିପଦା ସହରର ମଧ୍ୟ ଭାଗ ତଥା ରକ୍ସି ସିନେମା ହୋଲ ନିକଟସ୍ଥ ଏକ ବିଲ୍ଡିଂରେ ଥିବା ରୟାଲ ଇନସ୍ୟୁରାନ୍ସ ଅଫିସରେ ଅଗ୍ନିକାଣ୍ଡ ଘଟିଥିବାର ଦେଖାଯାଇଛି।ତେବେ ଘଣ୍ଟା ଘଣ୍ଟା ଧରି ପୁରୁଣା ଏସିକୁ ଚଳାଇବା ଦ୍ୱାରା ଏସିର ତାର ଜଳି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାଯାଇଛି।ନିଆଁ ଲାଗିବା ଦେଖି କର୍ମଚାରୀ ଓ ବିଲ୍ଡିଂର ମାଲିକ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ. ପ୍ରଥମେ ମେନ ସୁଇଚ ବନ୍ଦ କଲାପରେ ନିଆଁ ନଲିଭିବାରୁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ବୋଲି ଘର ମାଲିକଙ୍କ ସମ୍ପର୍କୀୟ ରାଜୀବ କୁମାର ରାଉତ କହିଛନ୍ତି। ତେବେ ଖବର ପାଇ ଅଗ୍ନିଶମ ବିଭାଗ ବାରିପଦା ଶାଖାର ଦୁଇଟି ଦମକଳ ଗାଡି ସହିତ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତ କରିଥିଲେ।ଏତେ ନିଆଁ ଲାଗିଲା ପରେ ସେଠାରେ ଥିବା ପ୍ରାୟ ୨୦ ଜଣ କର୍ମଚାରୀ ସୁରକ୍ଷିତ ତଳକୁ ଓହ୍ଲାଇ ଆସିଥିବାରୁ କାହାରି କିଛି କ୍ଷତି ହୋଇନାହିଁ ବୋଲି କହିଛନ୍ତି ଅଗ୍ନିଶମ ଅଧିକାରୀ।ତେବେ ନିଆଁ ଲିଭିବା ପରେ ଉକ୍ତ ବିଲ୍ଡିଙ୍ଗରେ ଏକାଧିକ ତ୍ରୁଟି ଥିବାର ଦେଖାଯାଇଛି।ପ୍ରଥମରେ ୨ୟ ମହଲା ରେ ଥିବା ଏହି ଅଫିସର ପ୍ରବେଶ ପଥ ଅତ୍ୟନ୍ତ ସଂକୀର୍ଣ୍ଣ ଯେଉଁଠି ଏକା ସହିତ ଦୁଇଜଣ ଯିବା ଆସିବା କରିବା କଷ୍ଟକର।କେବଳ ସେତିକି ନୁହେଁ ଉପର ମହଲାର ତଦନ୍ତ କରି ଫାୟାର ଅଫିସର ଗୁଣାଧର ଜେନା ସ୍ପଷ୍ଟ କରିଛନ୍ତି ଯେ, ସେଠାରେ ନା ଅଛି ଏମର୍ଜେନ୍ସି ଫାୟାର ଏକ୍ସିଟ ନା ରହିଛି ଅଗ୍ନି ନିର୍ବାପକ ଯନ୍ତ୍ର।ଆଜିର ଏହି ଦୁର୍ଘଟଣାରେ ସୌଭାଗ୍ୟ ବଶତଃ କୌଣସି ଜୀବନ ହାନୀ ହୋଇନାହିଁ କିନ୍ତୁ ଯଦି ଆଉ ଅଳ୍ପ ଡେରି ହେଇଥାନ୍ତା ତ ଆଖପାଖର ପ୍ରାୟ ୧୫ଟି କୋଠାରେ ଥିବା କପଡ଼ା, ହୋଟେଲ, ଇଲୋକ୍ଟ୍ରୋନିକ୍ସ ଇତ୍ୟାଦି ସଂସ୍ଥାକୁ ନିଆଁ ବ୍ୟାପି ଅନେକ ଧନଜୀବନ ନଷ୍ଟ ହୋଇଥାନ୍ତା। ତେବେ ଏଭଳି ଅସୁରକ୍ଷିତ ଆବସ୍ଥା ରେ ଘର ମାଲିକ କିଭଳି ଏହି ୪ ମହଲା ବିଶିଷ୍ଟ କୋଠା କୁ ୪ଟି ଭିନ୍ନ ଭିନ୍ନ ବାଣିଜ୍ୟିକ ସଂସ୍ଥାକୁ ଘରଭଡ଼ା ଦେଇଛନ୍ତି? ଏହି ଇନସ୍ୟୁରାନ୍ସ ସଂସ୍ଥା ମଧ୍ୟ ଏଭଳି ସାଂଘାତିକ ଅବ୍ୟବସ୍ଥା ଭିତରେ ୨୦ରୁ ଅଧିକ କର୍ମଚାରୀଙ୍କୁ ନେଇ କିଭଳି ସଂସ୍ଥା ଚଳାଇଛନ୍ତି ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି। ବାରିପଦାରେ ହସ୍ପିଟାଲ, ବ୍ୟାଙ୍କ ଇତ୍ୟାଦିରେ ପୂର୍ବରୁ ଅଗ୍ନିକାଣ୍ଡ ଘଟିବା ପରେ ମଧ୍ୟ ବର୍ଷବର୍ଷ ଧରି ଅଗ୍ନିଶମ ବିଭାଗ ଏଭଳି ସଂସ୍ଥା ମାନଙ୍କ ଅଗ୍ନି ନିର୍ବାପକ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିନାହାନ୍ତି କାହିଁକି ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି।

