ମାଲକାନଗିରି,୧୩/୬ (ସୁଧାଂଶୁ ଶେଖର ମହାନ୍ତି) ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ଆଜି ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଗସ୍ତ କରିଥିଲେ। ପ୍ରଥମେ ସେ ସହରର ୧୨ ନଂ ୱାର୍ଡ ସ୍ଥିତ ଡମ୍ପିଙ୍ଗ କଲୋନୀ କୁ ଯାଇ ସେଠାରେ ଏକ ସାଧାରଣ ସଭାରେ ଯୋଗ ଦେଇ ୱାର୍ଡ ବାସୀ ଙ୍କ ବିଭିନ୍ନ ସମସ୍ୟା ଶୁଣିଥିଲେ। ଏହାପରେ ସେ ୧୧ ନଂ ୱାର୍ଡ ରେ ଥିବା ଏମସିସି ଏବଂ ଏମଆରଏଫ ସେଣ୍ଟର ପରିଦର୍ଶନ ରେ ଯାଇଥିଲେ। ସେଠାରେ ଅଳିଆ ଆବର୍ଜନାରୁ କିପରି ଖତ ପ୍ରସ୍ତୁତ ହେଉଛି ତାହା କାମ କରୁଥିବା ଏସଏଚଜି ମହିଳାମାନଙ୍କ ସହ ଆଲୋଚନା କରିଥିଲେ। ଏଥିସହ ସେ ମହିଳା ମାନଙ୍କୁ ବହୁ ପ୍ରଶଂସା କରିଥିଲେ। ୯ ନଂ ୱାର୍ଡ ଏବଂ ୭ ନଂ ୱାର୍ଡ ପରିଦର୍ଶନ ରେ ଯାଇଥିବା ବେଳେ ସେଠାକାର ସ୍ଥାନୀୟ ଲୋକ ନିଜ ଅଞ୍ଚଳର ଡ୍ରେନ ଗୁଡିକ ଦୈନିକ ସଫା ହେଉନଥିବା ନେଇ ଅଭିଯୋଗ କରିଥିଲେ। ଏଥିସହ ଆଗକୁ ବର୍ଷା ଋତୁ ଆସୁଥିବା ହେତୁ ବର୍ଷା ହେଲେ ଡ୍ରେନ ପାଣି ନିଜ ନିଜ ଘର ମଧ୍ୟକୁ ପ୍ରବେଶ କରୁଥିବା କହିଥିଲେ। ତେବେ ତୁରନ୍ତ ସ୍ଥାନୀୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ଦୋରା ଙ୍କୁ ଘଟଣା ସ୍ଥଳକୁ ଡାକି ଏହି ଡ୍ରେନ ସଫେଇ ସହ ତା ଉପରେ ସିମେଣ୍ଟ କଭର ପ୍ଲେଟ ପକାଇବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ୫ ନଂ ୱାର୍ଡ ଏବଂ ୨ ନଂ ୱାର୍ଡ ପରିଦର୍ଶନ କରି ଲୋକମାନଙ୍କ ବିଭିନ୍ନ ସମସ୍ୟା ଶୁଣିବା ସହ ତୁରନ୍ତ ଉକ୍ତ ସମସ୍ୟା ଗୁଡିକର ସମାଧାନ କରିବାକୁ ବିଧାୟକ ଶ୍ରୀ ଖିଲ ପ୍ରତିଶ୍ରୁତି ଦେଇଥିଲେ। ୨ ନଂ ୱାର୍ଡ ରେ ନୂତନ କରି ହେଉଥିବା ଶିଶୁ ଉଦ୍ୟାନ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ କାର୍ଯ୍ୟ ର ମାନ ପରଖିଥିଲେ ବିଧାୟକ ଶ୍ରୀ ଖିଲ। ଏଥିସହ ତୁରନ୍ତ ପାର୍କ ନିର୍ମାଣ କାର୍ଯ୍ୟ ସାରିବାକୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦୋରା ଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହାପରେ ଅପରାହ୍ଣ ରେ ୧୦ ନଂ ୱାର୍ଡ ରେ ହେଉଥିବା ନୂତନ ମେଡ଼ିକାଲ ନିର୍ମାଣ କାର୍ଯ୍ୟ ର ସମୀକ୍ଷା କରିଥିଲେ ଚିତ୍ରକୋଣ୍ଡା ବିଧାୟକ ଶ୍ରୀ ଖିଲ। ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ହେଉଥିବା ଦେଖି ବିଗିଡିବା ସହ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ୧ ନଂ ୱାର୍ଡ ଏବଂ ୩ ନଂ ୱାର୍ଡ ଗସ୍ତରେ ଯାଇ ବସ୍ତି ବାସିନ୍ଦା ଙ୍କ ସହ ସେମାନଙ୍କ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ। ତେବେ ଚିତ୍ରକୋଣ୍ଡା ବିଧାୟକ ଶ୍ରୀ ଖିଲ ଆଜି ଦିନ ତମାମ ବାଲିମେଳା ସହରର ପ୍ରତ୍ୟେକ ଟି ୱାର୍ଡ ପରିଦର୍ଶନ ସମୟରେ ତାଙ୍କ ସହ ବିଧାୟକ ପ୍ରତିନିଧି ଇସାକ୍ ଖୋସଲା, ବରିଷ୍ଠ କଂଗ୍ରେସ ନେତା ଗୋବିନ୍ଦ ପାତ୍ର, ବାଲିମେଳା ନଗର କଂଗ୍ରେସ ସଭାପତି ସୁରେଶ ଖୋସଲା, କଂଗ୍ରେସ ନେତା ରବି ହରିଜନ, ବିଜୟ ଖିଲ ଙ୍କ ସମେତ ସ୍ଥାନୀୟ କଂଗ୍ରେସ କର୍ମୀମାନେ ଉପସ୍ଥିତ ଥିଲେ।

