ଯୋଡ଼ା ,୧୦/୦୬(ପାଇକପୁଅ)ଯୋଡ଼ା ବ୍ଲକ ଅନ୍ତର୍ଗତ ଭଦ୍ରାସାହି ନିକଟସ୍ଥ ବଡ଼ବିଲ ଖଣି ଅଞ୍ଚଳରେ ପୁଣି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟଣା ଘଟିଯାଇଛି । ବଡ଼ବିଲ ଥାନା ଅନ୍ତର୍ଗତ ଭାଦ୍ରାସାହି ଛକ ନିକଟରେ ଥିବା ଇଣ୍ଡିଆନ୍ ଗ୍ୟାସ ପ୍ଲାଣ୍ଟ ପଛପଟ ଜଙ୍ଗଲରୁ ଜଣେ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର ହେବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ମୃତକଙ୍କୁ ପଥରରେ ଆକ୍ରମଣ କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।
ସୂଚନା ଅନୁଯାୟୀ, ଜାତୀୟ ରାଜପଥ–୨୨୦ ଠାରୁ ପ୍ରାୟ ୩୦୦ ମିଟର ଦୂରରେ ଥିବା ଜଙ୍ଗଲ ମଧ୍ୟରେ ଗତ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ସୋମବାର ସକାଳେ କିଛି ସ୍ଥାନୀୟ ଲୋକ ଜଙ୍ଗଲ ମଧ୍ୟରେ ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ସୂଚନା ଦେଇଥିଲେ।
ଖବର ପାଇ ବଡ଼ବିଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଘଟଣାର ସୁରାଗ ପାଇବା ଓ ଅପରାଧୀଙ୍କ ଚିହ୍ନଟ ଉଦ୍ଦେଶ୍ୟରେ ସନ୍ଧାନୀ କୁକୁରର ସହାୟତା ନିଆଯାଇଥିଲା। ତଦନ୍ତ ସମୟରେ ବଡ଼ବିଲ ଆଇଆଇସି ଅଶୋକ ନାୟକ, ଯୋଡ଼ା ଇନ୍ଚାର୍ଜ ଇନ୍ସପେକ୍ଟର ସୁଶାନ୍ତ ପ୍ରଧାନ, ଚମ୍ପୁଆ ଏସଡିପିଓ ରଶ୍ମିରଞ୍ଜନ ସାହୁଙ୍କ ସମେତ ବହୁ ପୋଲିସ ଅଧିକାରୀ ଓ ପୋଲିସ ବଳ ଉପସ୍ଥିତ ରହିଥିଲେ।
ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ିନଥିବାବେଳେ ହତ୍ୟା ପଛର କାରଣ ମଧ୍ୟ ଅସ୍ପଷ୍ଟ ରହିଛି। ପୋଲିସ ବଡ଼ବିଲ ଥାନା କେସ୍ ନଂ–୨୪୫/୨୦୨୬ ଅନୁଯାୟୀ ଧାରା ୧୦୩(୧) ଓ ୨୩୮ ବିଏନଏସ୍ରେ ମାମଲା ରୁଜୁ କରି ତଦନ୍ତକୁ ଆଗେଇ ନେଉଛି। ମୃତଦେହକୁ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ସୂଚନା ମିଳିଛି।
ଏହି ଘଟଣା ପରେ ଯୋଡ଼ା–ବଡ଼ବିଲ ଖଣି ଅଞ୍ଚଳରେ ଆଇନ-ଶୃଙ୍ଖଳା ପରିସ୍ଥିତିକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଚିନ୍ତା ଓ ଅସନ୍ତୋଷ ଦେଖାଦେଇଛି। ଅପରାଧୀଙ୍କୁ ଶୀଘ୍ର ଚିହ୍ନଟ କରି ଗିରଫ କରିବା ସହ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।

