ବାରିପଦା,୦୯/୦୬(ପାଇକପୁଅ) ମୁଣ୍ଡାରୀ ୟୁଟ୍ୟୁବର୍, ପ୍ରଡ୍ୟୁସର ଏବଂ ଆର୍ଟିଷ୍ଟ ଆସୋସିଏସନ (ମାଏପା) ପକ୍ଷରୁ ବୀର ସହିଦ ଭଗବାନ ବିର୍ସା ମୁଣ୍ଡାଙ୍କ ୧୨୫ତମ ପୁଣ୍ୟତିଥି ସ୍ଥାନୀୟ ଅସ୍ତିଆ ବିର୍ସା ମୁଣ୍ଡା ଛକଠାରେ ଶ୍ରଦ୍ଧା ଓ ଭକ୍ତିର ସହ ପାଳନ କରାଯାଇଥିଲା।
ଏହି ଅବସରରେ ମାଏପାର ସଦସ୍ୟମାନେ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଉପସ୍ଥିତ ବକ୍ତାମାନେ ବିର୍ସା ମୁଣ୍ଡାଙ୍କ ଅଦମ୍ୟ ସାହସ, ତ୍ୟାଗ, ସଂଘର୍ଷ ଓ ଆଦିବାସୀ ସମାଜର ମାନ, ସମ୍ମାନ, ସ୍ୱାଭିମାନ ଏବଂ “ଜଳ, ଜଙ୍ଗଲ, ଜମି”ର ସୁରକ୍ଷା ପାଇଁ ତାଙ୍କ ଐତିହାସିକ ଉଲଗୁଲାନ ଆନ୍ଦୋଳନକୁ ସ୍ମରଣ କରିଥିଲେ।
ବକ୍ତାମାନେ କହିଥିଲେ ଯେ, ଭଗବାନ ବିର୍ସା ମୁଣ୍ଡା କେବଳ ଆଦିବାସୀ ସମାଜର ନୁହେଁ, ବରଂ ସମଗ୍ର ଭାରତବର୍ଷର ସ୍ୱାଧୀନତା, ସାମାଜିକ ନ୍ୟାୟ ଓ ସ୍ୱାଭିମାନର ଏକ ଅମର ପ୍ରତୀକ। ତାଙ୍କ ଜୀବନୀ ଆଜି ମଧ୍ୟ ଯୁବପିଢ଼ିଙ୍କୁ ସମାଜସେବା, ଏକତା ଓ ଅଧିକାର ସୁରକ୍ଷା ପାଇଁ ପ୍ରେରଣା ଯୋଗାଇ ଆସୁଛି। ତାଙ୍କ ଆଦର୍ଶକୁ ଅନୁସରଣ କରି ସମାଜରେ ସଚେତନତା, ଶିକ୍ଷା ଓ ସାଂସ୍କୃତିକ ଜାଗରଣ ସୃଷ୍ଟି କରିବାକୁ ସମସ୍ତଙ୍କୁ ଆହ୍ୱାନ ଜଣାଯାଇଥିଲା।
ଏହି ଶ୍ରଦ୍ଧାଞ୍ଜଳି ସଭାରେ ମାଏପାର ଫାଉଣ୍ଡର ମେମ୍ବର ରବୀନ୍ଦ୍ର ନାଥ ସିଂ କୋଚା, ସାଧାରଣ ସମ୍ପାଦକ ଲକ୍ଷ୍ମୀରାମ ସିଂହ, କୋଷାଧ୍ୟକ୍ଷ ନାଥ ସିଂ ବାରୁ, ପ୍ରିଣ୍ଟ ମିଡିଆ ସମ୍ପାଦକ ବାଜି ସିଂ, ଅଭିନେତା ସୁରୁ ସିଂ, ଅଭିନେତା ରବି ସିଂ, ବୁଧୁରାମ ସିଂ, ଆଇଟି ସେଲ୍ ସଦସ୍ୟ ମହେଶ୍ୱର ସିଂଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନେ ଯୋଗଦେଇ ଭଗବାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

