ମାଲକାନଗିରି,୩୦/୦୫ (ସୁଧାଂଶୁ ଶେଖର ମହାନ୍ତି)
ରାଜ୍ୟ ସରକାର ସରକାରୀ କର୍ମଚାରୀ ଓ ଅଧିକାରୀଙ୍କ ପାଇଁ ସ୍ୱଚ୍ଛ ଓ ସମାନ ବଦଳି ନୀତି ପ୍ରଣୟନ କରିଥିବା ବେଳେ ମାଲକାନଗିରି ଜିଲ୍ଲାର ବାଲିମେଳା ଜଳ ବିଦ୍ୟୁତ ପ୍ରକଳ୍ପରେ ଜଣେ ଅଧିକାରୀ ଦୀର୍ଘ ୧୩ ବର୍ଷ ଧରି କାର୍ଯ୍ୟରତ ଥିବା ଘଟଣାକୁ ନେଇ ବର୍ତ୍ତମାନ ପ୍ରଶ୍ନ ଉଠିଛି।
ସୂଚନା ଅନୁଯାୟୀ ବାଲିମେଳା ଜଳବିଦ୍ୟୁତ ପ୍ରକଳ୍ପର ସହକାରୀ ପରିଚାଳକ (ଏଚଆରଡି) ଦୁର୍ଗା ପ୍ରସାଦ ନାୟକ ୨୮ ଜାନୁଆରୀ ୨୦୧୩ ଠାରୁ ବାଲିମେଳା ଜଳ ବିଦ୍ୟୁତ କେନ୍ଦ୍ରରେ କାର୍ଯ୍ୟ କରିଆସୁଛନ୍ତି। ଓଏଚପିସି ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ଅଫିସ ଆଦେଶ ସଂଖ୍ୟା ୧୧୨/୨୦୧୫/୪୬୦୨, ତାରିଖ ୦୪/୦୫/୨୦୧୬ ଅନୁଯାୟୀ ଶ୍ରୀ ନାୟକ ଙ୍କୁ ବାଲିମେଳା ଜଳ ବିଦ୍ୟୁତ ପ୍ରକଳ୍ପ (ବିଏଚଇପି) ରୁ ରେଙ୍ଗାଳି ଜଳବିଦ୍ୟୁତ ପ୍ରକଳ୍ପ (ଆରଏଚଇପି) କୁ ୧୦.୦୪.୨୦୧୬ ରେ କେବଳ ଅସ୍ଥାୟୀ ଡେପୁଟେସନରେ ପଠାଯାଇଥିଲା। ଏହି ଆଦେଶରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ ରେଙ୍ଗାଳି ପ୍ରକଳ୍ପର ସହକାରୀ ପରିଚାଳକ (ଏଚଆରଡି) ପ୍ରିୟଙ୍କା ବର୍ଦ୍ଧନଙ୍କ ଛୁଟି ଅବଧି ପର୍ଯ୍ୟନ୍ତ ଶ୍ରୀ ନାୟକଙ୍କୁ ସେଠାରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଥିଲା।
ପରବର୍ତ୍ତୀ ସମୟରେ ସେ ପୁଣି ୦୯.୦୫.୨୦୧୮ରେ ବାଲିମେଳା ପ୍ରକଳ୍ପକୁ ଫେରି ଆସିଥିଲେ। ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଜଳ ବିଦ୍ୟୁତ ପ୍ରକଳ୍ପରେ କାର୍ଯ୍ୟରତ ଅଛନ୍ତି। ଏହା ଫଳରେ ୨୦୧୩ ମସିହାରୁ ୨୦୨୬ ପର୍ଯ୍ୟନ୍ତ ପ୍ରାୟ ୧୩ ବର୍ଷ ଧରି ସେ ଗୋଟିଏ ଜଳ ବିଦ୍ୟୁତ ପ୍ରକଳ୍ପ ଏବଂ ଗୋଟିଏ ଜିଲ୍ଲାରେ ହିଁ କାର୍ଯ୍ୟ କରୁଥିବା ଜଣାପଡ଼ିଛି। ବର୍ତ୍ତମାନ ଓଡ଼ିଶା ସରକାରଙ୍କ ଗତ ଚଳିତ ମାସ ୨୨ ତାରିଖରେ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ପତ୍ର ଜାରି ହୋଇଥିବା ସମନ୍ୱିତ ବଦଳି ନୀତି ଅନୁଯାୟୀ ଅଧିକାରୀମାନଙ୍କୁ ସାଧାରଣତଃ ୩ ବର୍ଷ ପରେ ବଦଳି କରାଯିବା ଉଚିତ ଏବଂ କୌଣସି ଜିଲ୍ଲାରେ ୬ ବର୍ଷରୁ ଅଧିକ ସମୟ ରହିବାକୁ ଅନୁମତି ନଥିବା ନିୟମାବଳୀ ଜାରି କରାଯାଇଛି।
ଏପରି ସ୍ଥିତିରେ ବାଲିମେଳା ପ୍ରକଳ୍ପରେ ଦୀର୍ଘ ୧୩ ବର୍ଷ ଧରି ଜଣେ ଅଧିକାରୀଙ୍କ କାର୍ଯ୍ୟକାଳ କିପରି ଜାରି ରହିଛି ଏବଂ ଏହା ସରକାରଙ୍କ ବଦଳି ନୀତି ର ଖୋଲାଖୋଲି ଉଲ୍ଲଘଂନ ହୋଇଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି।
ସରକାରୀ ନିୟମ ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କ କ୍ଷେତ୍ରରେ ସମାନ ଭାବରେ ପ୍ରଯୁଜ୍ୟ ହେବା ଦରକାର ବୋଲି ମତ ପ୍ରକାଶ ପାଇଥିବା ବେଳେ ଓଏଚପିସି କର୍ତ୍ତୃପକ୍ଷ ଏହି ପ୍ରସଙ୍ଗରେ କୌଣସି ସ୍ପଷ୍ଟୀକରଣ ଦେବେ କି ନାହିଁ ତାହାକୁ ନେଇ ଉତ୍ସୁକତା ବଢ଼ିଛି। ସ୍ଥାନୀୟ ମହଲର ଅଭିଯୋଗ ହେଉଛି ଯେ ସରକାରୀ ନୀତି ଓ ନିୟମ ସାଧାରଣ କର୍ମଚାରୀଙ୍କ ପାଇଁ କଠୋର ଭାବେ ପାଳନ କରାଯାଉଥିବା ବେଳେ କେତେକ ପ୍ରଭାବଶାଳୀ ଅଧିକାରୀଙ୍କ କ୍ଷେତ୍ରରେ ବ୍ୟତିକ୍ରମ ଦେଖାଯାଉଛି। ତେବେ ତୁରନ୍ତ ଏହି ଅଧିକାରୀ ଙ୍କ ବଦଳି କରିବାକୁ ସାଧାରଣରେ ଦାବି ହେଉଛି।

