ବାରିପଦା,୨୮/୦୫(ପାଇକପୁଅ)ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ କପ୍ତିପଦା ଡିଗ୍ରୀ କଲେଜର ଉଦ୍ଭିଦ ବିଜ୍ଞାନ ବିଭାଗର ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ପାଇଁ ୩୫ ଦିନିଆ ଇଣ୍ଟର୍ନସିପ୍ ଶିବିର ଆରମ୍ଭ ହୋଇଛି। ବାରିପଦା ତକତପୁର୍ ସ୍ଥିତ ଜାତୀୟ ସମ୍ମାନପ୍ରାପ୍ତ “ରୁଚି ମଶ୍ରୁମ୍ ଫାର୍ମ”ରେ ଏହି ଶିବିର ଚାଲିଥିବା ବେଳେ ଛାତ୍ରଛାତ୍ରୀମାନଙ୍କୁ ଛତୁଚାଷ ସମ୍ବନ୍ଧୀୟ ବିଭିନ୍ନ ପ୍ରାୟୋଗିକ ଓ ବୈଜ୍ଞାନିକ ତାଲିମ ପ୍ରଦାନ କରାଯାଉଛି।
ଯୁବପିଢ଼ିଙ୍କୁ ସ୍ୱାବଲମ୍ବୀ କରିବା ଓ କୃଷିଭିତ୍ତିକ ସ୍ୱରୋଜଗାର ପ୍ରତି ଆକୃଷ୍ଟ କରିବା ଲକ୍ଷ୍ୟରେ ଆୟୋଜିତ ଏହି ଶିବିରରେ ଛତୁଚାଷ, ଛତୁ ମଞ୍ଜି ଉତ୍ପାଦନ, ସଂରକ୍ଷଣ ଓ ଛତୁର ମୂଲ୍ୟଯୁକ୍ତ ଉତ୍ପାଦ ପ୍ରସ୍ତୁତି ବିଷୟରେ ପ୍ରଶିକ୍ଷଣ ଦିଆଯାଉଛି।
କାର୍ଯ୍ୟକ୍ରମକୁ ରୁଚି ମଶ୍ରୁମ୍ ଫାର୍ମର ନିର୍ଦ୍ଦେଶିକା ଶ୍ରୀମତୀ ଗୀତାଞ୍ଜଳି ମହାନ୍ତି ଏବଂ କପ୍ତିପଦା ଡିଗ୍ରୀ କଲେଜର ଉଦ୍ଭିଦ ବିଜ୍ଞାନ ବିଭାଗର ଅଧ୍ୟାପିକା ସୁଶ୍ରୀ ସସ୍ମିତା ରାଣୀ ବସନ୍ତିଆ ଉଦ୍ଘାଟନ କରିଥିଲେ। ଉଦବୋଧନ ଦେଇ ଶ୍ରୀମତୀ ମହାନ୍ତି କହିଥିଲେ ଯେ, ବର୍ତ୍ତମାନ ସମୟରେ ଛତୁଚାଷ ଯୁବପିଢ଼ିଙ୍କ ପାଇଁ ଏକ ଲାଭଜନକ ଓ ରୋଜଗାରକ୍ଷମ ଜୀବିକାର ମାଧ୍ୟମ ହୋଇଉଠିଛି।
ଫାର୍ମର ପରିଚାଳକ ଓ ଉପନିର୍ଦ୍ଦେଶକ ଶ୍ରୀ ସୁନୀଲ କୁମାର ପଟ୍ଟନାୟକ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରି କହିଥିଲେ ଯେ, କୃଷି ଓ ଛତୁଚାଷ ମାଧ୍ୟମରେ ଯୁବପିଢ଼ି ନିଜ ଭବିଷ୍ୟତକୁ ସୁନିଶ୍ଚିତ କରିପାରିବେ। ଏହି ଇଣ୍ଟର୍ନସିପ୍ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଥିଓରୀ ସହ ପ୍ରାକ୍ଟିକାଲ ଓ ଲାବ୍ ଭିତ୍ତିକ ଶିକ୍ଷା ଗ୍ରହଣ କରିବେ।
ଶିବିର ପରିଚାଳନାରେ ସଂଯୋଜିକା ସୁଶ୍ରୀ ସସ୍ମିତା ରାଣୀ ବସନ୍ତିଆଙ୍କ ସହ ଅନ୍ୟ ସହଯୋଗୀମାନେ ସକ୍ରିୟ ଭୂମିକା ନିଭାଇଛନ୍ତି। ଏହି ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳବାସୀ ଓ ଅନ୍ୟ ଛାତ୍ରଛାତ୍ରୀମାନଙ୍କର ବ୍ୟାପକ ସ୍ୱାଗତ ମିଳିଛି।

