ମାଲକାନଗିରି,୦୩/୦୫ (ସୁଧାଂଶୁ ଶେଖର ମହାନ୍ତି)
ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ଗସ୍ତରେ ଆଜି ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଗଙ୍ଗା ସୋଡି ଆସିଥିବା ବେଳେ ବାଲିମେଳା ନଗର ବିଜେପି ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ବାଲିମେଳା ସହର ସ୍ଥିତ ପୋଟେରୁ ଇରିଗେସନ ବିଭାଗର ଡ଼ାକ ବଙ୍ଗଳାରେ ଏହି କାର୍ଯ୍ୟକ୍ରମ ଟି ବାଲିମେଳା ବିଜେପି ନଗର ସଭାପତି ସୀମାଞ୍ଚଳ ପ୍ରଧାନ ଙ୍କ ନେତୃତ୍ୱରେ ଆୟୋଜନ ହୋଇଥିଲା। ପ୍ରଥମେ ବିଜେପି ନଗର ସଭାପତି ଶ୍ରୀ ପ୍ରଧାନ ନୂତନ ଭାବେ ଏସଡିସି ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିବା ଶ୍ରୀ ସୋଡି ଙ୍କୁ ପୁଷ୍ପଗୁଚ୍ଛ ଏବଂ ଉପଢୌକନ ଦେଇ ସମ୍ମାନିତ କରିଥିଲେ। ଏହାପରେ ବାଲିମେଳା ସହରର ବିକାଶ ଦିଗରେ ଅଧ୍ୟକ୍ଷ ଶ୍ରୀ ସୋଡି ଉପସ୍ଥିତ ବିଜେପି କର୍ମକର୍ତ୍ତା ମାନଙ୍କ ସହ ଆଲୋଚନା କରିଥିଲେ। ଦଳୀୟ କର୍ମକର୍ତ୍ତା ବାଲିମେଳା ସହରରେ ରହିଥିବା ବିଭିନ୍ନ ସମସ୍ୟା ଏସଡିସି ଅଧ୍ୟକ୍ଷ ଙ୍କୁ ଅବଗତ କରାଇଥିଲେ। ବାଲିମେଳା ସହରର ବିକାଶ ଦିଗରେ ନିଶ୍ଚୟ କାର୍ଯ୍ୟ କରିବେ ବୋଲି ଅଧ୍ୟକ୍ଷ ଶ୍ରୀ ସୋଡି ନିଜର ମତ ରଖିଥିଲେ। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଏନଏସି ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ, କୋରୁକୋଣ୍ଡା ସାଂସଦ ପ୍ରତିନିଧି ଅକ୍ଷୟ ବିଶ୍ୱାଳ, ପୂର୍ବତନ ନଗର ସଭାପତି ପ୍ରଦୀପ ନାୟକ, ସଂଖ୍ୟା ଲଘୁ ମୋର୍ଚ୍ଚା ଜିଲ୍ଲା ସଭାପତି ଜୋସେଫ ଦିଲ୍ଲୀପ, ବିଜେପି କାଉନସିଲର ପୁଷ୍ପାଞ୍ଜଳି ଚାଲାଣ, ମନୋଜଦେବ ପାଙ୍ଗି, ଜ୍ୟୋତିରାଣୀ ପଣ୍ଡା, ବିମଳ ବେହେରାଙ୍କ ସମେତ ଅନ୍ୟ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

