ଯୋଡା,୦୯/୦୪(ପାଇକପୁଅ)ଟାଟା ଷ୍ଟିଲ୍ ମେନ୍ ହସ୍ପିଟାଲ୍, ଯୋଡା ପକ୍ଷରୁ ବୁଧବାର, ୧୪-ଦିନିଆ ସାଂସ୍କୃତିକ ପର୍ବ ‘ଓଡ଼ିଆ ପକ୍ଷ-୨୦୨୬’ ଅବସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି।
ଟାଟା ଷ୍ଟିଲ୍ ମେନ୍ ହସ୍ପିଟାଲ୍, ଯୋଡା ର ମୁଖ୍ୟ ଚିକିତ୍ସାଧିକାରୀ (ଭାରପ୍ରାପ୍ତ) ଡଃ ତାପସ ଷଡଙ୍ଗୀ ଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଯେଉଁଥିରେ ହସ୍ପିଟାଲ ର ଅନ୍ୟ ଡାକ୍ତର ଏବଂ କର୍ମଚାରୀ ମାନେ ସହଯୋଗ କରିଥିଲେ I
ରାଜ୍ୟର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ପରମ୍ପରା ସହ ଲୋକମାନଙ୍କୁ ପୁନଃ ଯୋଡିବାକୁ ଉଦ୍ଦିଷ୍ଟ ‘ଓଡ଼ିଆ ପକ୍ଷ’—ଏପ୍ରିଲ ୧ ରେ ଉତ୍କଳ ଦିବସରୁ ଆରମ୍ଭ ହୋଇ ଏପ୍ରିଲ ୧୪ ରେ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ – ଏକ ଭବ୍ୟ ଉତ୍ସବ ଭାବେ ପାଳିତ ହେବ।
ସମୁଦାୟ ଭିତ୍ତିକ ସ୍ୱଇଚ୍ଛିକ ରକ୍ତଦାନ ଶିବିରଗୁଡିକ ରାଜ୍ୟର ବ୍ଲଡ୍ ବ୍ୟାଙ୍କ ମହଜୁଦ କୁ ବୃଦ୍ଧି କରିବା ସହ ଜୀବନ ରକ୍ଷା ପାଇଁ ସ୍ୱଇଚ୍ଛିକ ରକ୍ତଦାନର ସଂସ୍କୃତିକୁ ପ୍ରୋତ୍ସାହନ ଦେଇଥାଏ।
ଓଡ଼ିଆ ପକ୍ଷ ଅବସରରେ ସ୍ୱଇଚ୍ଛାରେ ରକ୍ତଦାନ କରିବାକୁ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଆହ୍ୱାନ କରିଥିଲେ ଏବଂ ଏହାକୁ ‘ଜୀବନ ବଞ୍ଚାଇବାର ସର୍ବୋତ୍ତମ ଉପାୟ’ ବୋଲି କହିଥିଲେ।
ଗତବର୍ଷ ରାଜ୍ୟର ସାଂସ୍କୃତିକ କ୍ୟାଲେଣ୍ଡରରେ ସମ୍ମିଳିତ ହୋଇଥିବା ଏହି ପର୍ବଟି ଏବେ ରାଜ୍ୟର ଭାଷା, ସାହିତ୍ୟ, ଖାଦ୍ୟ, ହ୍ୟାଣ୍ଡଲୁମ୍ ଓ ଜୀବନଶୈଳୀର ଏକ ସାମୁହିକ ଉତ୍ସବ ଭାବେ ପାଳିତ ହେବ।
