ମାଲକାନଗିରି,୨୬/୦୩ (ସୁଧାଂଶୁ ଶେଖର ମହାନ୍ତି)
ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ମଣ୍ଡି ସମସ୍ୟା ଉଗ୍ର ରୂପ ନେଉଥିବା ବେଳେ ଏନେଇ ବିଭିନ୍ନ ରାଜନୈତିକ ଦଳ ଏହାକୁ ମୁଦ୍ଦା ବନାଇ ବିଭିନ୍ନ ସମୟରେ ରାଜ ରାସ୍ତାକୁ ଓଲ୍ହାଇ ରାସ୍ତାରୋକ କରି ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି। ଗତ ବୁଧବାର ଜିଲ୍ଲାର ଏହି ମଣ୍ଡି ସମସ୍ୟାକୁ ନେଇ କଂଗ୍ରେସ ସମଗ୍ର ଜିଲ୍ଲା ବନ୍ଦ ଡାକରା ଦେଇଥିଲା। ତେବେ ମଣ୍ଡିରୁ ଚାଷୀମାନଙ୍କ ଧାନ ଉଠୁ ନଥିବା ହେତୁ ସେମାନେ ନାନାଦି ସମସ୍ୟା ର ସମ୍ମୁଖୀନ ହେଉଛନ୍ତି। ଗତ କାଳ ବୈଶାଖୀ ବର୍ଷାରେ ମଣ୍ଡିରେ ପଡି ରହିଥିବା ହଜାର ହଜାର କ୍ୱିଣ୍ଟାଲ ଧାନ ଭିଜି ତାହା ଗଜା ରେ ପରିଣତ ହୋଇଯାଇଥିବା ଦେଖିବାକୁ ମିଳିଛି। ଆସନ୍ତା ୩୧ ସୁଦ୍ଧା ଯଦି ମଣ୍ଡିରୁ ଧାନ ନ ଉଠାଯାଏ ତାହେଲେ ଜିଲ୍ଲା କଂଗ୍ରେସ ପୁନଃ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ବସ୍ତା ଗଦା କରି ସେଠାରେ ଧାନ ମଣ୍ଡି ଖୋଲିବ ବୋଲି ଚେତାବନୀ ଦେଇଛି। ତେବେ ଏନେଇ ଆମେ ଜିଲ୍ଲା ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରାଙ୍କୁ ପଚାରିବାରୁ ରାୟଗଡା ଏବଂ କୋରାପୁଟ ଜିଲ୍ଲାରୁ ୧୦ ଜଣ ମିଲର ଧାନ ଉଠାଇବା ନେଇ ଚୁକ୍ତି କରି ମଣ୍ଡି ରୁ ଧାନ ଉଠାଇବା ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି। ଏବଂ ଆସନ୍ତା ୩୧ ସୁଦ୍ଧା ଜିଲ୍ଲାର ବିଭିନ୍ନ ମଣ୍ଡିରୁ ପଡି ରହିଥିବା ୫୦ ହଜାର କ୍ୱିଣ୍ଟାଲ ଧାନ କ୍ରୟ କରାଯିବା ନେଇ ଲକ୍ଷ ରହିଥିବା ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ବେହେରା କହିଛନ୍ତି।
