ମାଲକାନଗିରି,୧୪/୦୧ (ସୁଧାଂଶୁ ଶେଖର ମହାନ୍ତି)ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ୱରେ ବେଧଡ଼କ କଟା ଯାଉଛି ବିରାଟକାୟ ଗଛ, ସବୁ ଜାଣି ଚୁପ ବସିଛି ବନ ବିଭାଗ। ଆଜି ଏପରି ଏକ ଚିତ୍ର ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସଦର ମହକୁମା ସ୍ଥିତ ବିଦ୍ୟୁତ ବିଭାଗ ସବ ଷ୍ଟେସନ ନିକଟରେ। ବାଲିମେଳା-ମାଲକାନଗିରି ମୁଖ୍ୟ ରାସ୍ତାର ଟେକଗୁଡା ଛକ ପରେ ପରେ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ବିରାଟକାୟ ଶାଗୁଆନ ଗଛ ଗୁଡିକୁ ଦିନ ଦ୍ଵିପହରେ ବନ ବିଭାଗ ର ବିନା ଅନୁମତି ରେ ମେସିନ ଲଗାଇ ଗଛ କଟାଯାଇଥିବା ଅଭିଯୋଗ ହୋଇଛି। ଦିନ ଦ୍ବିପହରେ ମେସିନ ଲାଗି ଗଛ କଟାଯିବା ସତ୍ତ୍ୱେ ମଧ୍ୟ କିପରି ଜାଣି ପାରିଲାନି ବନ ବିଭାଗ ତାକୁ ନେଇ ବର୍ତ୍ତମାନ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ୪ ଗୋଟି ମୂଲ୍ୟବାନ ଶାଗୁଆନ ଗଛ କଟାଯାଇଥିବା ଘଟଣା ଆଜିକୁ ୪ ଦିନ ବିତିଯାଇଥିଲେ ମଧ୍ୟ ଏଯାଏଁ ବନ ବିଭାଗ ର ପଦକ୍ଷେପ ଶୂନ। ତେବେ ଘଟଣା ରେ ସମ୍ପୃକ୍ତ ଥିବା ସ୍ଥାନୀୟ ଅଞ୍ଚଳର ବ୍ୟକ୍ତି ଏବଂ କୋରୁକୋଣ୍ଡା ବନ ବିଭାଗର ଅଧିକାରୀଙ୍କ ସଲାସୁତୁରା ରେ ଏପରି ଘଟଣା ଘଟିଥିବା ସ୍ଥାନୀୟ ଅଞ୍ଚଳରେ ବର୍ତ୍ତମାନ ଚର୍ଚ୍ଚା ର ବିଷୟ ପାଲଟିଛି। ତେବେ ବନ ବିଭାଗ ପକ୍ଷରୁ ଗଛ ନ କାଟିବା ନିମନ୍ତେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେଉଛି ସତ କିନ୍ତୁ ତାହା ବାସ୍ତବିକ କାର୍ଯ୍ୟରେ ପରିଣତ ହେଉ ନଥିବା ଦେଖିବାକୁ ମିଳୁଛି। ସରକାର ବୃକ୍ଷ ରୋପଣ ନିମନ୍ତେ କୋଟି କୋଟି ଟଙ୍କା ପାଣି ପରି ଖର୍ଚ୍ଚ କରୁଥିବା ବେଳେ ଏଠି ତାର ବିପରୀତ ଚିତ୍ର ଦେଖିବାକୁ ମିଳୁଛି। ଏନେଇ ଆମେ କୋରୁକୋଣ୍ଡା ବନପାଳ ଜ୍ୟୋତିରାଣୀ ଡୁଙ୍ଗଡୁଙ୍ଗ ଙ୍କୁ ପଚାରିବାରୁ ସେ ବର୍ତ୍ତମାନ ସୁଦ୍ଧା ଏନେଇ ଅବଗତ ନଥିବା କହିବା ସହ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଥିଲେ। ଏନେଇ ଆମେ ମାଲକାନଗିରି ବନାଞ୍ଚଳ ଅଧିକାରୀ ରମେଶ ରାଉତ ଙ୍କୁ ପଚାରିବାରୁ ଉକ୍ତ ଅଞ୍ଚଳରେ ଗଛ କଟା ନିମନ୍ତେ ଜଣେ ବ୍ୟକ୍ତି ଆବେଦନ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ତାଙ୍କୁ ଅନୁମତି ଦିଆଯାଇ ନାହିଁ, ବିନା ଅନୁମତି ରେ ଏପରି କାଣ୍ଡ ରଚାଇଥିବା ବ୍ୟକ୍ତି ଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସେ କହିଥିଲେ।

