ବାରିପଦା, ୧୧/୦୧(ପାଇକପୁଅ)ପୋଡ଼ାଅସ୍ତିଆ ବିର୍ସା ମୁଣ୍ଡା ଛକ ନିକଟରେ ଆଲୋକି କରଣ ବ୍ୟବସ୍ଥା ନଥିବା ଯୋଗୁଁ ପ୍ରତ୍ୟେକ ଦିନ ବିଭିନ୍ନ ପ୍ରକାର ସମସ୍ୟା ଦେଖିବାକୁ ମିଳୁଛି। ଏହି ଛକ ନିକଟରେ ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ଦୈନିକ ହାଟ ବସେ, ଯାହା ଫଳରେ ଜନସାଧାରଣ ଏବଂ ଯାନବାହନ ଚଳାଚଳର ଭିଡ଼ ଦେଖିବାକୁ ମିଳେ। ପୋଡ଼ାଅସ୍ତିଆ ବିର୍ସା ମୁଣ୍ଡା ଛକଟି ବାରିପଦା ସହର ରୁ ଉଦଳା ଏବଂ ବାରିଦାରୁ ଶିମିଳିପାଳ ଅଭୟାରଣ୍ୟକୁ ଯିବାର ମୂଖ୍ୟ ମାର୍ଗ ଅଟେ। ବର୍ତ୍ତମାନ ସମୟରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଶିମିଳିପାଳ ଆସୁଥିବାରୁ ବିର୍ସା ମୁଣ୍ଡା ଛକ ଦେଇ ଯାନବାହନର ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଆଲୋକୀକରଣ ବ୍ୟବସ୍ଥା ନଥିବା ଯୋଗୁଁ ରାତ୍ରୀ ସମୟରେ ଏହି ଛକ ନିକଟରେ ପ୍ରତ୍ୟେକ ଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଏହି ସମସ୍ୟାକୁ ଦୂର କରିବା ପାଇଁ ସ୍ଥାନୀୟ ୱାର୍ଡ଼ ମେମ୍ବର ଝାଡେଶ୍ୱର ସିଂଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ୧୮ ନଭେମ୍ବର ୨୦୨୫ ରେ ଜିଲ୍ଲାପାଳ ନିକଟରେ ସମସ୍ୟା ବିଷୟରେ ଅବଗତ କରି ଏକ ଦାବିପତ୍ର ପ୍ରଦାନ କରିଥିଲେ। ମାତ୍ର ଏ ପର୍ଯ୍ୟନ୍ତ ଆଲୋକୀକରଣ ବ୍ୟବସ୍ଥା ହୋଇ ନାହିଁ। ମୟୂରଭଞ୍ଜ ଜିଲ୍ଲାର ବଡପର୍ବ ମକର ପର୍ବ ଆସୁଅଛି, ଯାହା ଫଳରେ ବିର୍ସା ମୁଣ୍ଡା ଛକ ନିକଟରେ ଦୈବ ଦୁର୍ଘଟଣା ସହ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳିବ। ତେଣୁ ଏହି ଛକରେ ଯଥା ଶୀଘ୍ର ଆଲକି କରଣ ସହ ମକର ପର୍ବକୁ ଦୃଷ୍ଟିରେ ରଖି କିଛି ଦିନ ପାଇଁ ଟ୍ରାଫିକ ପୋଲିସ ମୁତୟନ କରାଯିବାକୁ ୱାର୍ଡ଼ ମେମ୍ବର ଝାଡେଶ୍ୱର ସିଂ ଗଣମାଧ୍ୟମ ଜରିଆରେ ଜିଲ୍ଲା ପ୍ରଶାସନକୁ ଗୁହାରି କରିଛନ୍ତି।
