ବାରିପଦା,୧୦/୦୧(ପାଇକପୁଅ)କଳା ସଂସ୍କୃତିର ପୀଠ ମୟୁରଭଞ୍ଜ ହୋଇଥିବା ବେଳେ ବାରିପଦା ଶହିଦ ସ୍ମୃତି ଭବନରେ ବର୍ଷତମାମ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ମାତ୍ର ଶହୀଦ ସ୍ମୃତି ଭବନରେ ଅତ୍ୟାଧୁନିକ ଆଲୋକ ଓ ଶବ୍ଦର ବ୍ୟବସ୍ଥା ନଥିବାରୁ କାର୍ଯ୍ୟକ୍ରମ ପରିବେଷଣରେ ଆୟୋଜକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ବିଶେଷ କରି ନାଟକଟିଏ ମଞ୍ଚସ୍ଥ କରିବା ପାଇଁ ଏହା ଅଧିକ ବ୍ୟୟବହୁଳ ହୋଇପଡିଥାଏ।ଅନେକ ନାଟ୍ୟ ଅନୁଷ୍ଠାନ ରାଜ୍ୟ ତଥା ଜାତୀୟ ସ୍ତରୀୟ ନାଟକ ମହୋତ୍ସବର ଆୟୋଜନ କରିବା ପାଇଁ ଚାହୁଁଥିଲେ ହେଁ ଆଲୋକ ଓ ଶବ୍ଦର ସୁବ୍ୟବସ୍ଥା ନଥିବାରୁ କରିପାରୁନାହାନ୍ତି।ତେଣୁ ଶହିଦ ସ୍ମୃତି ଭବନରେ ଅତ୍ୟାଧୁନିକ ଆଲୋକ ଓ ଶବ୍ଦର ବ୍ୟବସ୍ଥା ସହ ନବୀକରଣ କରିବା ପାଇଁ ବାରିପଦା କଳାକାର ପରିବାରର ସଭାପତି ସନ୍ତୋଷ ମହାନ୍ତିଙ୍କ ନେତୃତ୍ୱରେ ସମ୍ପାଦକ ଜ୍ଞାନ ରଞ୍ଜନ ପଣ୍ଡାଙ୍କ ସମେତ ପ୍ରସନ୍ନ କୁମାର ମହାନ୍ତି, ଅନ୍ନଦା ଶଙ୍କର ଦାଶ, ଡଃ କୁମରମଣୀ ନାୟକ, ରାଜୀବ କୁମାର ପାତ୍ର, ଡଃ ଗୋକୁଳ ଚନ୍ଦ୍ର ଦାସ, ସୋମନାଥ ସିଂହ ପ୍ରମୁଖ ଉପ ଜିଲ୍ଲାପାଳ, ବାରିପଦା ଡଃ ଦୟାସିନ୍ଧୁ ପରିଡା ଏବଂ ଜିଲ୍ଲାପାଳ ହେମକାନ୍ତ ସୟଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।ଏହି ସମସ୍ୟାର ସମାଧାନ ପାଇଁ ଉଚିତ ପଦକ୍ଷେପ ନେବେ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି।
