କୋଣାର୍କ, ୨୯/୧୧(ପାଇକପୁଅ)ଆଉ ଦିନକ ପରେ ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ଠାରେ ୩୬ତମ କୋଣାର୍କ ଉତ୍ସବ ଓ ଚନ୍ଦ୍ରଭାଗା ଠାରେ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ଆୟୋଜନ ନେଇ ଶନିବାର ଅପରାହ୍ଣରେ ପୁରୀ ଜିଲ୍ଲାପାଳ ପ୍ରସ୍ତୁତିର ତଦାରଖ ଓ ସମୀକ୍ଷା କରିଥିବା ଜଣାପଡିଛି। ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ କୂଳରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଆସନ୍ତା ଡିସେମ୍ବର ୧ ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ ସୁଭଦ୍ରା ଶକ୍ତି ମେଳାର ଆୟୋଜନ କରାଯାଇଛି। ଏହି ମେଳାରେ ୧୫୦ ଗୋଟି ଷ୍ଟଲ ପ୍ରଦର୍ଶିତ କରାଯିବା ପାଇଁ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ପକ୍ଷରୁ ସ୍ଥିର କରାଯାଇଛି। ଏହି କାର୍ଯ୍ୟକ୍ରମରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ଵାରା ପ୍ରସ୍ତୁତ ବିଭିନ୍ନ ପ୍ରକାରର ସାମଗ୍ରୀ ସମ୍ପର୍କିତ ଷ୍ଟଲମାନ ପ୍ରଦର୍ଶିତ ହେବ। ମହିଳା ମାନଙ୍କ ଦ୍ଵାରା ପ୍ରସ୍ତୁତ ସାମଗ୍ରୀକୁ ସୁଭଦ୍ରା ଶକ୍ତି ମେଳା ମାଧ୍ୟମରେ ବିକ୍ରି କରିବା ପାଇଁ ଏହା ଏକ ଉତ୍ତମ ମାଧ୍ୟମ। ଏହା ଦ୍ବାରା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନେ ଆତ୍ମ ନିର୍ଭରଶୀଳ ହେବା ସହ କର୍ମ ସଂସ୍ଥାନ ଯୋଗାଇବା ପାଇଁ ପ୍ରଶସ୍ତ ମାର୍ଗ ପ୍ରଦର୍ଶନ କରିବ ବୋଲି ସୁଭଦ୍ରା ଶକ୍ତି ମେଳାର ପ୍ରସ୍ତୁତି ତଦାରଖ କରିବା ସମୟରେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ମତବ୍ୟକ୍ତ କରିଛନ୍ତି। ଚନ୍ଦ୍ରଭାଗାର ବେଳାଭୂମି କୂଳରେ ଆୟୋଜିତ ହେବାକୁ ଥିବା ୧୫ତମ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବର ପ୍ରସ୍ତୁତି ତଦାରଖ କରିଥିଲେ ପୁରୀ ଜିଲ୍ଲାପାଳ। ପରେ ପରେ ପୁରୀ ଜିଲ୍ଲାପାଳ ଶ୍ରୀ ପରିଡା କୋଣାର୍କ ହେଲିପ୍ଯାଡ ଠାରେ ଆୟୋଜିତ ହେବାକୁ ଥିବା ମିନାବଜାର ଆୟୋଜନର ପ୍ରସ୍ତୁତି ଓ କୋଣାର୍କ ଉତ୍ସବର ପ୍ରସ୍ତୁତିର ତଦାରଖ ଓ ସମୀକ୍ଷା କରିଥିଲେ ।ପୁରୀ ଜିଲ୍ଲାପାଳଙ୍କ ଗ୍ରସ୍ତ ସମୟରେ ଜିଲ୍ଲା ମୁଖ୍ଯ ଉନ୍ନୟନ ଅଧିକାରୀ ପ୍ରିୟ ରଂଜନ ପୃଷ୍ଟି,ଅତିରିକ୍ତ ଜିଲ୍ଲାପାଳ(ପ୍ରୋଟୋକଲ) ନୀଳ ମାଧବ ଭୋଇ, ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଉପଜିଲ୍ଲାପାଳ ରାଜକିଶୋର ଜେନା, ପର୍ଯ୍ୟଟନ ବିଭାଗ ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ, କୋଣାର୍କ ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ଅମିୟ ରଞ୍ଜନ ସେଠୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।

