ମାଲକାନଗିରି,୨୮/୧୧ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲା ପୋଟେରୁ ଜଳ ସେଚନ ପ୍ରକଳ୍ପ ଅନ୍ତର୍ଗତ ସୋରଲୁକୋଣ୍ଡା ବ୍ୟାରେଜ ନିକଟସ୍ଥ ରାସ୍ତା କଡର ଉଭୟ ପାର୍ଶ୍ୱରେ ଥିବା ସମସ୍ତ ଦେବଦାରୁ ଗଛ ଅଧା କାଟିଲା ଇରିଗେସନ ବିଭାଗ, ରାସ୍ତାର ସୌନ୍ଦର୍ଯ୍ୟକୁ ବଢ଼ାଉଥିବା ଏହି ଗଛ ଗୁଡିକୁ ବନ ବିଭାଗର ବିନା ଅନୁମତିରେ ନିଜ ମନ ମୁତାବକ କାଟିଲା ବିଭାଗ। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ଏହି ଦେବଦାରୁ ଗଛ ଗୁଡିକ ଆଜିକୁ ଦୀର୍ଘ ବର୍ଷ ହେବ ବିଭାଗ ପକ୍ଷରୁ ରୋପଣ କରାଯାଇଥିଲା। ନିଳାଦ୍ରୀନଗର ଗ୍ରାମର ଶେଷ ମୁଣ୍ଡରୁ ସୋରଲୁକୋଣ୍ଡା ବ୍ୟାରେଜ ଯାଏଁ ରାସ୍ତାର ଉଭୟ ପାର୍ଶ୍ଵରେ ରୋପଣ କରାଯାଇଥିବା ଦ୍ୱାରା ଏହି ଗଛ ଗୁଡିକ ବ୍ୟାରେଜ ର ସୌନ୍ଦର୍ଯ୍ୟ କୁ ଦ୍ବିଗୁଣିତ କରୁଥିଲା। ଆଜି ଇରିଗେସନ ବିଭାଗ ନିଜ ମନ ମୁତାବକ ଏପରି ଗଛ ଗୁଡ଼ିକ କାଟି ଦେବା ଦ୍ୱାରା ରାସ୍ତାର ସୌନ୍ଦର୍ଯ୍ୟ ନଷ୍ଟ ହୋଇଯିବା ସହ ସ୍ଥାନୀୟରେ ଜନ ଅସନ୍ତୋଷ ଦେଖା ଦେଇଛି। ତେବେ ଦେବଦାରୁ ଗଛ ଗୁଡିକୁ କିପରି ନିଜ ମନ ମୁତାବକ ବିଭାଗ କାଟିଲା ସେନେଇ ଆମେ ସ୍ଥାନୀୟ ଫରେଷ୍ଟର ମୋହନ ଗୁଡ଼ିଆ ଙ୍କୁ ପଚାରିବାରୁ ସେ ବନ ବିଭାଗ ର କୌଣସି ଅନୁମତି ନେଇ ନଥିବା ସହ ସେ ନିଜ ଷ୍ଟାଫ ଙ୍କୁ ସେଠାକୁ ପଠାଇ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଥିଲେ। ତେବେ ବନ ବିଭାଗର ବିନା ଅନୁମତିରେ ବ୍ୟାରେଜ ଅଞ୍ଚଳର ଏଭଳି ସୌନ୍ଦର୍ଯ୍ୟ କୁ ନଷ୍ଟ କରିଥିବା ହେତୁ ସମ୍ପୃକ୍ତ ବିଭାଗ ଏବଂ ଠିକାଦାର ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏନେଇ ଆମେ ବ୍ୟାରେଜ ଦାୟିତ୍ୱରେ ଥିବା ବିଭାଗୀୟ ଯନ୍ତ୍ରୀ ଦୀନବନ୍ଧୁ ପାତ୍ର ଙ୍କୁ ପଚାରିବାରୁ ସେ ଡ୍ରେସିଂ ନିମନ୍ତେ କଟା ଯାଇଥିବା କହିଥିଲେ। ତେବେ ଡ୍ରେସିଂ ବାବଦକୁ ଅଳ୍ପ ଉଚ୍ଚର କାଟିବା କଥା, କିନ୍ତୁ ଅଧିକ କଟାଯାଇଥିବା କହିଥିଲେ। ଏବଂ ବନ ବିଭାଗର ଅନୁମତି କଥା ସେ ଜାଣି ନାହାଁନ୍ତି, ମାଲକାନଗିରି ସହରର ଶ୍ରୀ ଜେନାମଣି ନାମକ ଇଲେକ୍ଟ୍ରିକ ଠିକାଦାର ଉକ୍ତ କାର୍ଯ୍ୟ କରୁଛନ୍ତି। ଏନେଇ ପୋଟେରୁ ଜଳ ସେଚନ ପ୍ରକଳ୍ପ ଅଧିକ୍ଷଣ ଯନ୍ତ୍ରୀ କରୁଣା ସାଗର ବେହେରା ଅଧିକ ସୂଚନା ଦେଇ ପାରିବେ ବୋଲି ସେ କହିଥିଲେ। ତେବେ ଉକ୍ତ ଅଞ୍ଚଳରେ ବର୍ତ୍ତମାନ ନୂତନ କରି ଅଲୋକୀକରଣର ବ୍ୟବସ୍ଥା କରାଯାଇଥିବାରୁ ଗଛ ଗୁଡିକୁ ଏପରି କଟାଯାଇଥିବା ଅନୁମାନ କରାଯାଉଛି।

