ବାରିପଦା, ୨୭/୧୧(ପାଇକପୁଅ)ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀ ଶ୍ରୀ ହରିବଳଦେବ ମହାପ୍ରଭୁ ବିଜେ ବାରିପଦା ଜଗନ୍ନାଥଙ୍କ ମନ୍ଦିର ସେବକ ମାନେ ବିଭିନ୍ନ ଦାବୀ ନେଇ ଦୀର୍ଘବର୍ଷ ଧରି ଆନ୍ଦୋଳନ କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବାରୁ ଆଗାମୀ ଡିସେମ୍ବର ୧ତାରିଖରୁ ଜିଲ୍ଲାପାଳଙ୍କ ଅଫିସ ଆଗରେ ହାତରେ ପ୍ରଜ୍ବଳିତ ଦୀପ ଧରି ଆଣ୍ଠେଇ ଅଭିନବ ଉପାୟରେ ବିରୋଧ ପ୍ରଦର୍ଶନ କରିବେ ବୋଲି ଆଜି ମୟୁରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିବାର ଜଣାଯାଇଛି।ସେବାୟତ ମାନଙ୍କର ଦାବୀ ମୁତାବକ ମନ୍ଦିର ପରିଚାଳନା ପାଇଁ ରାଜାରାଜୁଡା ସମୟରେ ଖଞ୍ଜା ଥିବା ଜମି ସବୁ ସରକାରୀ ବାବୁ ମାନଙ୍କ ଦ୍ବାରା ସମୟ କ୍ରମେ ଶାଗମାଛ ଦରରେ ହରିଲୁଟ ହେବା ଫଳରେ ମନ୍ଦିର ପରିଚାଳନାରେ ଆର୍ଥିକ ସମସ୍ୟା ସୃଷ୍ଟି ହୋଇଛି।କାଜୁ ନିଗମ ୧୦୦୦ ଏକର ଜାଗାରେ କାଜୁ ନିଲାମ କରୁଥିଲେ ବି ବାରମ୍ବାର ଚିଠି ଲେଖିବା ପରେବି ଲିଜ ନବୀକରଣ ନକରି ବିନା ମୂଲ୍ୟରେ ୧୦୦୦ ଏକର ଜାଗା ଦଖଲ କରୁଛି।ସରକାରଙ୍କ ଧାର୍ଯ୍ୟ ମୂଲ୍ୟରେ ଏକର ପ୍ରତି ୧୫ ହଜାର ଟଙ୍କା ଦେବାକୁ ମନା କରୁଛି ମାତ୍ର ଏକର ପ୍ରତି ୨ ଲକ୍ଷ ଟଙ୍କାର କାଜୁ ନିଲାମ କରୁଛନ୍ତି।୨୦୧୯ରେ ଲିଜର ଅବଧି ଶେଷ ହୋଇଥିଲେ ବି, କାଜୁ ନିଗମ କିଛି ପଦକ୍ଷେପ ନେଉନାହାନ୍ତି କି ମହାପ୍ରଭୁଙ୍କ ଜାଗା ଛାଡୁନାହାନ୍ତି।ପୁରୀ ଭଳି ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ୩ଟି ରଥ ହେଉଥିଲେବି ରଥ ପାଇଁ କିଛି ସ୍ୱତନ୍ତ୍ର ଅନୁଦାନ ନମିଳିବା ଦୁଖଦାୟକ ଘଟଣା। ବାରିପଦା ଦେବୋତ୍ତର ବିଭାଗ ଦେଢ଼ କୋଟି ଋଣରେ ବସିଛି।ନଗଦ ଖଞ୍ଜା ଯୋଗାଉ ଥିବା ଦୋକାନୀ ୪୦ ଲକ୍ଷ ଟଙ୍କା ବାକି ଥିବାରୁ ଆଉ ଜିନିଷ ଦେବାକୁ ମନା କରୁଛି ତେଣୁ ଠାକୁର ଙ୍କ ନୀତି ବନ୍ଦ ହେବାର ଆଶଙ୍କା ରହିଛି।ଦେବୋତ୍ତର ବିଭାଗର ଜମି ଅନ୍ୟ ଲୋକ ମାଡି ବସିଛନ୍ତି ଏଣୁ ଏମାନଙ୍କୁ ଉଛେଦ ପାଇଁ ଦେବୋତ୍ତର ଅଫିସର, ଅମିନ, କିରାଣୀ ନିଯୁକ୍ତ ହେଉ ନାହାନ୍ତି। ମନ୍ଦିରର ସ୍ଥାୟୀ ଅଫିସ ପାଇଁ ଅନୁଦାନ ନାହିଁ।ମନ୍ଦିରର ଆୟ ବୃଦ୍ଧି ଏବଂ ଜମି ସୁରକ୍ଷା ପାଇଁ ଦେବତ୍ତର ଜାଗାରେ କଲ୍ୟାଣ ମଣ୍ଡପ, ତୁଳସୀ ବଗିଚା, ବ୍ୟବସାୟୀକ ଅନୁଷ୍ଠାନ ଇତ୍ୟାଦି କରାଯାଉନାହିଁ।ଆବଶ୍ୟକ ମୁତାବକ ମନ୍ଦିରର ଅଧିକ ସେବକ ନିଯୁକ୍ତି ହେଉନାହିଁ।ଏ ସମ୍ପର୍କରେ ବିଭିନ୍ନ ଦାବି ନେଇ ବିଗତ ସରକାରଙ୍କ ଠାରୁ ଆରମ୍ଭ କରି ଏବେର ସରକାରରେ ମଧ୍ୟ ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ, ନଗରଉନ୍ନୟନ ମନ୍ତ୍ରୀ, ଆଇନ ମନ୍ତ୍ରୀ ଙ୍କ ସହିତ ବାରମ୍ବାର ସାକ୍ଷାତ କରି ଆଲୋଚନା କରି ପ୍ରତିଶ୍ରୁତି ମିଳିଥିବା ବେଳେ ପ୍ରତିଶୃତି ପାଣିର ଗାର ପାଲଟିଛି।ଏଣୁ ତୁରନ୍ତ ଉପରୋକ୍ତ ସମସ୍ୟା ଗୁଡିକର ସମାଧାନ ପାଇଁ ରାଜ୍ୟସରକାର ପଦକ୍ଷେପ ନନେଲେ, ଆଗାମୀ ଡିସେମ୍ବର ୧ ତାରିଖ ସୋମବାର ଠାରୁ ପ୍ରତ୍ୟେକ ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଣ୍ଠେଇ ହାତରେ ପ୍ରଜ୍ବଳିତ ଦୀପ ଧରି ଅଭିନବ ଉପାୟ ରେ ଅହିଂସାତ୍ମକ ପନ୍ଥା
ଆପଣେଇ ବାକୁ ବାଧ୍ୟ ହେବେ ବୋଲି ସେବାୟତ କାମେଶ୍ୱର ତ୍ରିପାଠୀ , ଅରୁଣ କୁମାର ମିଶ୍ର, ଦେବକାନ୍ତ ପଣ୍ଡା, ଚଣ୍ଡୀ ପ୍ରସାଦ ଦାଶ, ପ୍ରଦୀପ ପଣ୍ଡା, ଅମ୍ରିତ କୁମାର ମିଶ୍ର, ଶଶୀ ଭୂଷଣ ଦାଶ, ସୋମନାଥ ପଣ୍ଡା ପ୍ରମୁଖ ଗଣ ମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି।

