କେନ୍ଦୁଝର, ୨୪/୧୧(ପାଇକପୁଅ)ବ୍ୟାଙ୍କ୍ ରେ ଗ୍ରାକଙ୍କ ଉନ୍ମତ କାଣ୍ଡ। ଟଙ୍କା ଉଠାଇବାକୁ ଯାଇଥିଲେ ମାତ୍ର ଟଙ୍କା ନମିଳିବାରୁ ବ୍ୟାଙ୍କ୍ ରେ ତାଣ୍ଡବ କଲେ। ଏହିଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହିସ୍ଥିତ ବ୍ୟାଙ୍କ୍ ଅଫ ଇଣ୍ଡିଆ ବ୍ରାଞ୍ଚରେ। ପ୍ରାପ୍ତ ଖବର ଅନୁଯାୟୀ କେନ୍ଦୁଝର ଜିଲ୍ଲା ରଗୁଢ଼ୀ ଥାନା ଅନ୍ତର୍ଗତ ଭୂୟାଁରୋଇଡା ଗ୍ରାମର ଦେବ ଆପଟ ନାମକ ଜଣେ ଗ୍ରାହକ ଉକ୍ତ ବ୍ରାଞ୍ଚକୁ ଟଙ୍କା ଉଠାଇବାକୁ ଯାଇଥିଲେ।ସେଠାରେ ତାଙ୍କୁ ବ୍ୟାଙ୍କ୍ କର୍ମଚାରୀ ଟଙ୍କା ନାହିଁ କହିବାରୁ ଯୁବକ ଜଣକ ଉତ୍ୟକ୍ତ ହୋଇ ସେଠାରେ ଥିବା ଏକ ବେଲଚା ସାହାଯ୍ୟରେ ବ୍ୟାଙ୍କ୍ ରେ ଭଙ୍ଗାରୁଜା କରିବା ସହ ରଚିଥିଲେ ତାଣ୍ଡବ ଲୀଳା।ଯାହାକୁ ଦେଖି ଉକ୍ତ ବ୍ୟାଙ୍କ୍ ରେ ଥିବା ଗ୍ରାହକ ଭୟରେ ବ୍ୟାଙ୍କ୍ ଛାଡ଼ି ଦୌଡ଼ି ପଳାଇଥିଲେ।ଉକ୍ତ ଭଙ୍ଗାରୁଜା ବେଳେ ବ୍ୟାଙ୍କ୍ ରେ ଲାଗିଥିବା କାଚ ଭାଙ୍ଗି କର୍ମଚାରୀ ଆହତ ହେବା ସହ ଉକ୍ତ ଯୁବକ ମଧ୍ୟ ଆହତ ହୋଇଥିବା ଦେଖିବାକୁ ମିଳିଛି। ତେବେ ଉକ୍ତ ବ୍ୟାଙ୍କକୁ ଯାଇଥିବା ଜଣେ ଗ୍ରାହକ ଉକ୍ତ ଘଟଣା ଦେଖି ପୋଲିସ୍ କୁ ଖବର ଦେଇଥିଲେ ଓ ଆହତ ବ୍ୟାଙ୍କ୍ କର୍ମଚାରୀଙ୍କୁ ନିଜ କାର୍ ଯୋଗେ ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଖବର ପାଇ ବଡ଼ବିଲ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଯୁବକକୁ କାବୁ କରି ତାକୁ ଚିକିତ୍ସା ପାଇଁ ବଡ଼ବିଲ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ବେଳେ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା।

