ମାଲକାନଗିରି,୧୪/୧୧ (ସୁଧାଂଶୁ ଶେଖର ମହାନ୍ତି)ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲଙ୍କ ବିକଶିତ ଗାଁ ବିକଶିତ ଓଡିଶା ଯୋଜନାରେ ବ୍ଲକରେ ଶତ ପ୍ରତିଶତ କାମ ବାଣ୍ଟିବା ଘଟଣା କୁ ନେଇ କୋରୁକୋଣ୍ଡା ବିଡ଼ିଓ ଙ୍କୁ ବ୍ଲକ ଚେୟାରମ୍ୟାନ ଙ୍କ ସମେତ ୧୨ ଜନ ପ୍ରତିନିଧି ବିଡ଼ିଓଙ୍କୁ ଦାବିପତ୍ର ଦେବା ଘଟଣା ସମ୍ପୂର୍ଣ ମିଥ୍ୟା ତଥା ଭିତ୍ତିହୀନ ବୋଲି କହିଲେ ଚିତ୍ରକୋଣ୍ଡା ବିଧାୟକ ଙ୍କ ଜିଲ୍ଲା ପ୍ରତିନିଧି ଗୋବିନ୍ଦ ପାତ୍ର। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସେ ଏହି ଅଭିଯୋଗ କୁ ଖଣ୍ଡନ କରିଛନ୍ତି। ଶ୍ରୀ ପାତ୍ର କହିଛନ୍ତି ଯେ ବିକଶିତ ଗାଁ ବିକଶିତ ଓଡିଶା ଯୋଜନାରେ ବିଧାୟକ ୪୦ ପ୍ରତିଶତ କାର୍ଯ୍ୟ ନିମନ୍ତେ ପ୍ରକଳ୍ପ ଦେବାର ପ୍ରାବଧାନ ରହିଛି ସତ କିନ୍ତୁ ବିଧାୟକ ନିଜ ମନ ମୁତାବକ ଶତ ପ୍ରତିଶତ କାର୍ଯ୍ୟକୁ ବିଡ଼ିଓଙ୍କୁ ଚାପ ପକାଉଥିବା ଘଟଣା ସମ୍ପୂର୍ଣ ମିଥ୍ୟା ଏବଂ ବିଜେଡି ବ୍ଲକ ଚେୟାରମ୍ୟାନ ଜିତୁ ବୁରୁଡ଼ି ତାଙ୍କର ସରକାର ଭୁଷୁଳି ଯିବା ପରେ ଭୋକ ବିକଳରେ ତାଟିଆ କାମୁଡିବା ପରି ଏଭଳି ମିଥ୍ୟା କହି ସେ ହୀନ ରାଜନୀତି କରୁଥିବା କହିଛନ୍ତି। ଏଥିସହିତ ସେ କହିଛନ୍ତି ଯେ ଯେଉଁ ୧୨ ଜନ ପ୍ରତିନିଧି ତଥା ସରପଞ୍ଚ ଏବଂ ସମିତି ମେମ୍ବର ଅଭିଯୋଗ କରିଛନ୍ତି ସେମାନେ ଦୀର୍ଘ ବର୍ଷ ହେବ ନିଜର ସମ୍ପର୍କୀୟ ଙ୍କ ନାମରେ ନିଜ ଅଞ୍ଚଳରେ ଲକ୍ଷାଧିକ ଟଙ୍କାର କାର୍ଯ୍ୟ କରି ଆସୁଥିଲେ। ତେଣୁ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ବିଧାୟକ ଆସିବା ପରେ ସେମାନଙ୍କ ର କାର୍ଯ୍ୟରେ ବାଧା ଉପୁଜୁଛି ଏବଂ ସେମାନେ ଆଉ ଲକ୍ଷାଧିକ ଟଙ୍କାର କାମ କରି ପାରୁନାହାନ୍ତି। ତେଣୁ ଏପରି ଦାବିପତ୍ର ବିଡ଼ିଓ ଙ୍କୁ ଦେଇ ବିଧାୟକଙ୍କୁ ଭୟଭୀତ କରାଇବା ଏହା ତାଙ୍କର ଉଦ୍ଦେଶ୍ୟ ବୋଲି କହିଛନ୍ତି। ଏଥିସହ ଶ୍ରୀ ପାତ୍ର ଦୃଢୋକ୍ତି ର ସହ କହିଛନ୍ତି ଯେ ବ୍ଲକ ଚେୟାରମ୍ୟାନ ଶ୍ରୀ ବୁରୁଡ଼ି ନିଜେ ଜଣେ ଜନ ପ୍ରତିନିଧି ହୋଇ ନିଜର ସମ୍ପର୍କୀୟ ଙ୍କ ସହ ମିଶି ଭାଗୁଆଳିରେ କାମ କରିଛନ୍ତି। ଏବଂ ଏହି ଘଟଣା ର ପ୍ରମାଣ ମଧ୍ୟ ତାଙ୍କ ନିକଟରେ ଅଛି। ତେଣୁ ଆଗାମୀ ଦିନରେ ଯଦି କୌଣସି ଜନ ପ୍ରତିନିଧି ମାନେ ସିଧାସଳଖ ବିକାଶ ମୂଳକ କାର୍ଯ୍ୟରେ ଲିପ୍ତ ରହି ଠିକାଦାରୀ କାମ କରନ୍ତି ତାହେଲେ କଂଗ୍ରେସ ଆଗାମୀ ଦିନରେ ବ୍ଲକ କାର୍ଯ୍ୟାଳୟ ଘେରାଉ କରି ସମସ୍ତ କାର୍ଯ୍ୟ ବନ୍ଦ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଙ୍କ ସ୍ୱଚ୍ଛ ଭାବମୂର୍ତ୍ତି କୁ ବଦନାମ କରିବା ପାଇଁ ବିରୋଧୀ ଙ୍କ ଏହା ଏକ ଷଡଯନ୍ତ୍ର ବୋଲି ସେ କହିଛନ୍ତି। ତେବେ ଆଜିର ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପାତ୍ର ଙ୍କ ସମେତ କୋରୁକୋଣ୍ଡା ବିଧାୟକ ପ୍ରତିନିଧି ବିନାୟକ ପାତ୍ର, ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ବେଣୁ ହନ୍ତାଳ, କାମବେଡା ପୂର୍ବତନ ସରପଞ୍ଚ ମୁକୁନ୍ଦ ମାଡକାମୀଙ୍କ ସମେତ ଅନ୍ୟ କଂଗ୍ରେସ କର୍ମୀମାନେ ଉପସ୍ଥିତ ଥିଲେ।

