ମାଲକାନଗିରି,୦୩/୧୧ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଡୁଡାମେଟା ପଞ୍ଚାୟତ ଏମଭି-୨୩ ଏବଂ ଏମଭି -୨୭ ଗ୍ରାମରେ ମା’ ଜଗଦ୍ଧାତ୍ରୀଙ୍କ ପୂଜା ଧୁମ ଧାମରେ ପାଳିତ ହେଉଅଛି। ଏହି ଦୁଇ ଗ୍ରାମର ବାସିନ୍ଦାମାନେ ମା’ଙ୍କର ପୂଜା ନିମନ୍ତେ ଏକ ଶୋଭାଯାତ୍ରାରେ କଳସ ଯାତ୍ରା କରିଥିଲେ। ଗତ ଗୁରୁବାର ଦିନ ବିଧିବଦ୍ଧ ଭାବେ ଦଶମୀ ପୂଜା ହୋଇଥିଲା। ପୂଜା ମଣ୍ଡପ ନିକଟରେ ବିଭିନ୍ନ ପ୍ରକାର ଶତାଧିକ ଦୋକାନ ଖୋଲାଯାଇଛି। ଦୁଇଟି ପୂଜା ମଣ୍ଡପ ନିକଟରେ ବିଭିନ୍ନ ପ୍ରକାର ତୋରଣ ସାଙ୍ଗକୁ ରଙ୍ଗ ବେରଙ୍ଗ ଆଲୋକ ମାଳାରେ ସଜାଯାଇଛି। ପୂଜା ମଣ୍ଡପ ପାଖରେ ୩/୪ ଦିନ ସନ୍ଧ୍ୟାରେ ଲୋକ ମାନଙ୍କର ମନୋରଞ୍ଜନ ପାଇଁ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି। ପୂଜା ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଦେଖିବା ନିମନ୍ତେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରତ୍ୟକ ଦିନ ହଜାର ହଜାର ଲୋକଙ୍କ ଭିଡ ଜମୁଥିବା ଦେଖିବାକୁ ମିଳିଛି। ଦଶହରା ଓ କାଳୀପୂଜା ପରେ ମାଲକାନଗିରି ଜିଲ୍ଲାର କେବଳ ଏହି ଦୁଇ ଗ୍ରାମରେ ଜଗଦ୍ଧାତ୍ରୀଙ୍କ ପୂଜା ବହୁ ଆଡମ୍ବର ସହିତ ପାଳିତ ହୋଇଥାଏ। ଏହାକୁ ଦେଖିବା ନିମନ୍ତେ ଜିଲ୍ଲାର ପ୍ରତ୍ୟେକ କୋଣ ଅନୁକୋଣରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ।

