ଯୋଡା,୨୮/୧୦(ପାଇକପୁଅ) ଟାଟା ଷ୍ଟିଲ୍ ପକ୍ଷରୁ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଅଧିନ ପଠାଣୀ ସାମନ୍ତ ପ୍ଲାନେଟୋରିୟମ, ଭୁବନେଶ୍ବର ସହଯୋଗରେ ଆୟୋଜିତ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ଵେଷଣ (ୟାଟସ୍’)ର ୧୯ତମ ସଂସ୍କରଣ ର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ କେନ୍ଦୁଝର ଜିଲ୍ଲାରେ ଅନୁଷ୍ଠିତ ହୋଇଯାଇଛି।
ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ମହାକାଶ ବିଜ୍ଞାନକୁ ନେଇ ଆଗ୍ରହ ଓ ଅନ୍ଵେଷଣକୁ ନେଇ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ I କେନ୍ଦୁଝର ଜିଲ୍ଲା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଷଷ୍ଠରୁ ଦଶମ ଶ୍ରେଣୀର ପ୍ରାୟ ୬୩୮୮ ଛାତ୍ରଛାତ୍ରୀ ଭାଗ ନେଇଥିଲେ ।
ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ନବମ ଓ ଦଶମ ଶ୍ରେଣୀ ବିଦ୍ୟାର୍ଥୀମାନଙ୍କ ପାଇଁ ଚହୁବିଧ ପସନ୍ଦର ପ୍ରଶ୍ନ (ଏମ୍ସିକ୍ୟୁ) ପରୀକ୍ଷା ସହିତ ଷଷ୍ଠ ରୁ ଅଷ୍ଟମ ଶ୍ରେଣୀର ପିଲାମାନଙ୍କ ପାଇଁ କୁଇଜ, କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯେଉଁଠି ଛାତ୍ରଛାତ୍ରୀଙ୍କୁ ଜ୍ୟୋତିର୍ବିଜ୍ଞାନ ଓ ମହାକାଶ ବିଜ୍ଞାନ ଉପରେ ଜ୍ଞାନ ଅନ୍ଵେଷଣ ଓ ପ୍ରଦର୍ଶନ କରିବାର ଏକ ପ୍ଲାଟଫର୍ମ ଯୋଗାଇଥିଲା ।
ଭାରତ ସରକାରଙ୍କ ଗଗନାୟନ ମିଶନ ଅନୁସାରେ ୟାଟସ୍ ୨୦୨୫ ସଂସ୍କରଣ ବିଷୟବସ୍ତୁ ହେଉଛି – “ଆଜିର ନକ୍ଷତ୍ରଦର୍ଶୀ, କାଲିର ମହାକାଶଯାତ୍ରା” ଯାହା ଦେଶର ମାନବ ମହାକାଶ ଭ୍ରମଣ ଦକ୍ଷତାକୁ ଦର୍ଶାଉଛି । ଗତ ୧୮ବର୍ଷ ଭିତରେ ୟାଟସ ସାରା ଓଡ଼ିଶାରେq ଛାତ୍ରଛାତ୍ରୀମାନଙ୍କୁ ମହାକାଶ ବିଜ୍ଞାନକୁ ଅନ୍ଵେଷଣ କରିବାକୁ ଅନୁପ୍ରାଣିତ କରିଛି ।
ଏହି କାର୍ଯ୍ୟକ୍ରମରେ ୪.୭୧ ଲକ୍ଷ ଛାତ୍ରଛାତ୍ରୀ ଭାଗ ନେଇଥିବା ବେଳେ ୨୩୦ ବିଜେତା ଭାରତୀୟ ମହାକାଶ ଗବେଷଣ ସଂସ୍ଥା ପରିଦର୍ଶନ କରିଛନ୍ତି ।
ଏହି କାର୍ଯ୍ୟକ୍ରମର ରାଜ୍ୟ ସ୍ତରୀୟ ଅନ୍ତିମ ପ୍ରତିଯୋଗୀତା ଆସନ୍ତା ଡିସେମ୍ବର ମାସରେ ଭୁବନେଶ୍ବର ଠାରେ ଅନୁଷ୍ଠିତ ହେବ।

