କୋଣାର୍କ, ୨୮/୧୦(ପାଇକପୁଅ)ପୁରୀ ଜିଲ୍ଲା ଗୋପ ତହସିଲ ଅନ୍ତର୍ଗତ କୋଣାର୍କ ଏନ୍ ଏ ସି ଅଧୀନ,କୋଣାର୍କ ଓ ମାଧିପୂର ମୌଜାର ସରକାରୀ ଜମି ଓ ବାଲୁଖଣ୍ଡ ଅଭୟାରଣ୍ୟକୁ ଲାଗିଥିବା ଜଙ୍ଗଲରେ ବେଆଇନ ଜମି ଜବରଦଖଲ ଓ ଗୃହ ନିର୍ମାଣ କାର୍ଯ୍ୟ ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ତହସିଲ ପ୍ରଶାସନ ଓ ବନ ବିଭାଗ ନୀରବରେ ବସି ରହିଥିବା ସାଧାରଣରେ ଅଭିଯୋଗ ହୋଇଛି।ସୁଚନା ଅନୁଯାୟୀ କୋଣାର୍କ ମାଧିପୂର ମୌଜାର ସରକାରୀ ଜମି ଖାତା ନମ୍ବର୍ ୩୬ ରେ କେତେକ ଜମି ମାଫିଆ, ଦଲାଲ୍ ମାନେ ଜବରଦଖଲ କରି ଗୁଣ୍ଠ ପ୍ରତି ୩ଲକ୍ଷ ଟଙ୍କାରୁ ଅଧିକ ଦରରେ ଲୋକଙ୍କୁ ବିକ୍ରୀ କରିଥିବା ଅଭିଯୋଗ ହୋଇଥିବା ବେଳେ କିଛି ବଡ଼ବଡ଼ିଆ ଲୋକ ନିଜର ଠକ ଅର୍ଜିତ ଧନରେ ଜାଗା କିଣି ରାତାରାତି ଗୃହ ନିର୍ମାଣ କରୁଛନ୍ତି।ବେଆଇନ ନିର୍ମାଣକାରୀଙ୍କୁ କିଛି ଅସାଧୁ କର୍ମଚାରୀ,କଥା କଥିତ ରାଜନୈତିକ ବ୍ୟକ୍ତି ହାତ ଗୁଂଜା ନେଇ ନିର୍ମାଣ କାର୍ଯ୍ୟରେ ସହଯୋଗ କରୁଛନ୍ତି। ଯାହା ଫଳରେ ଦିନକୁ ଦିନ ବେଆଇନ ନିର୍ମାଣ ବଢ଼ି ଚାଲିଛି। ବିଭାଗୀୟ ଅଧିକାରୀ ସବୁ ବିଷୟରେ ଅବଗତ ଥିବା ବେଳେ କାହା ଇଙ୍ଗିତରେ ଚୁପ୍ ରହୁଛନ୍ତି ତାହା ତଦନ୍ତ ସାପେକ୍ଷ ଅଟେ।ସେହିପରି ବାଲୁଖଣ୍ଡ ଅଭୟାରଣ୍ୟ ଠାରୁ ମାତ୍ର ୧୦୦ ମିଟର ମଧ୍ୟରେ ଇକୋ ସେନ୍ସେଟିଭ ଜୋନ୍ ଅଞ୍ଚଳରେ ବଡ ବଡ ବେଆଇନ କୋଠା ନିର୍ମାଣ ହେଉଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଉନଥିବା ଦେଖିବାକୁ ମିଳିଛି।ଫଳରେ ବେଆଇନ ଗୃହ ନିର୍ମାଣ ବଢ଼ି ଚାଲିଛି।୨୦୧୫ ମସିହାରେ ଏହି ମୌଜାରେ ଯେତିକି ଖାଲି ସରକାରୀ ପ୍ଲଟ ରହିଥିଲା ବର୍ତ୍ତମାନ ଉକ୍ତ ପ୍ଲଟ ଗୁଡ଼ିକରେ ବଡ଼ ବଡ଼ ଅଟ୍ଟାଳିକା ମାନ ଠିଆ ହୋଇଥିବା ଜଣାପଡିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଯଦି ଏଥିରେ ବ୍ରେକ ଲଗାନଯାଏ ତେବେ ଆଉ ବର୍ଷେ କି ଦୁଇ ବର୍ଷ ମଧ୍ୟରେ ଗୋଟିଏ ଖାଲି ପ୍ଲଟ ପାଇବା ମୁସ୍କିଲି ହୋଇପଡିବ ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଅଛନ୍ତି।ଏହି ଘଟଣା ପ୍ରତି ପୁରୀ ଜିଲ୍ଲାପାଳ, ରାଜ୍ଵସ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଇଛି।

