ବାରିପଦା,୨୬/୨୦(ପାଇକପୁଅ)ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟା ଏବଂ ବୃଷ୍ଟିପାତକୁ ଦୃଷ୍ଟିରେ ରଖି, ଏହାର ମୁକାବିଲା ପାଇଁ ଓ ପୂର୍ବ ପ୍ରସ୍ତୁତି ନିମନ୍ତେ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଏକ ପ୍ରାକପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସମ୍ବେଦନଶୀଳ ତହସିଲ, ବ୍ଲକ ଏବଂ ଗ୍ରାମ ପଂଚାୟତ ଯଥା ବଡ଼ସାହି, ବେତନଟୀ, ମାଣତ୍ରୀ ପଂଚାୟତ, ଖୁଣ୍ଟା, ରାସଗୋବିନ୍ଦପୁର, ମୋରଡା, ସମାଖୁଣ୍ଟା ସାରସକଣା, କପ୍ତିପଦା, ଉଦଳା ଅଂଚଳର ବିଭିନ୍ନ ସ୍ଥାନ ପାଇଁ ଜିଲ୍ଲା ପ୍ରଶାସନ ପର୍ଯ୍ୟାପ୍ତ ପରିମାଣରେ ପୂର୍ବ ବ୍ୟବସ୍ଥା କରିଥିବା ବେଳେ ସମ୍ଭାବ୍ୟ ବର୍ଷାରେ ବନ୍ୟାପ୍ଲାବିତ ହେବାକୁ ଥିବା ଅଂଚଳରେ ମଧ୍ୟ ସମସ୍ତ ଜରୁରୀକାଳୀନ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି. ପ୍ରଶାସନ ଏଥି ପାଇଁ ପୂର୍ବରୁ ସଚେତନ ହୋଇ ଜନସାଧାରଣଙ୍କୁ ଉପଯୁକ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରୀକରଣ କରିବା ବ୍ୟବସ୍ଥା କରିବା ପାଇଁ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଆବଶ୍ୟକ ସ୍ଥଳେ ସ୍କୁଲ ଏବଂ କଲେଜ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇପାରେ ଏବଂ ଆବଶ୍ୟକସ୍ଥଳେ ଉଦ୍ଧାର ଓ ସ୍ଥାନାନ୍ତର କାର୍ଯ୍ୟରେ ସହାୟତା ନିମନ୍ତେ ସମସ୍ତ ଅଗ୍ନିଶମ କେନ୍ଦ୍ର ତଥା ଓଡ୍ରାଫ ଟିମ ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି. ସମସ୍ତ ବିଡ଼ିଓ, ତହସିଲଦାର, ରାଜସ୍ବ ନିରୀକ୍ଷକ ଓ ପୌରପାଳିକା ଓ ଏନଏସିର ନିର୍ବାହୀ ଅଧିକାରୀଙ୍କୁ ବିପର୍ଯ୍ୟୟ ପ୍ରବଣ ଗ୍ରାମ ଓ ବାସସ୍ଥାନ ପାଇଁ ସ୍ଥାନାନ୍ତର ଯୋଜନା ପ୍ରସ୍ତୁତ କରିବା ପାଇଁ ଆଦେଶ ଦିଆଯାଇଛି. ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକରେ ପର୍ଯ୍ୟାପ୍ତ ଜଳ ଯୋଗାଣ, ନିରବୀଛିନ୍ନ ବିଦ୍ୟୁତ ଯୋଗାଣ ତଥା ଆଲୋକୀକରଣ, ପରିମଳ ବ୍ୟବସ୍ଥା ସହ ଶୁଖିଲା ଖାଦ୍ୟ ଓ ଶିଶୁ ଖାଦ୍ୟ ସମେତ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ସାମଗ୍ରୀ ମହଜୁଦ ରଖିବା ପାଇଁ ବ୍ୟବସ୍ଥା କରାଯିବ. ଗର୍ଭବତୀ ମହିଳା, ଛୋଟ ଶିଶୁ, ବୃଦ୍ଧ ବୃଦ୍ଧା ଭିନ୍ନକ୍ଷମ ମାନଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତରଣ ଉପରେ ମଧ୍ୟ୍ୟ ଗୁରୁତ୍ୱ ଦିଆଯାଇଛି. ସର୍ବୋପରି ବାତ୍ୟା ଜନିତ କୌଣସି ଲୋକର ଯେପରି ଜୀବନ ନଯାଏ ସେଥିପାଇଁ ଶୂନ୍ୟ ମୃତ୍ୟୁ ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଏବଂ ଉଦ୍ଧାର କାର୍ଯ୍ୟରେ ପିଆରଆଇ ସଦସ୍ୟ ସ୍ୱେଚ୍ଛାସେବୀ ଏବଂ ଗୋଷ୍ଠୀ ସ୍ୱେଚ୍ଛାସେବୀଙ୍କୁ ସାମିଲ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।ଏଥି ସହିତ କୌଣସି ଅଧିକାରୀ ଏବଂ କର୍ମଚାରୀଙ୍କୁ କାର୍ଯ୍ୟ ମୁଖ୍ୟାଳୟ ନ ଛାଡ଼ିବା ପାଇଁ ମଧ୍ୟ ଜିଲ୍ଲାପାଳ ଆଦେଶ ଦେଇଛନ୍ତି. ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ଆୟୋଜିତ ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପଲ୍ଲୀ, ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ, ଦୁଖବନ୍ଧୁ ନାୟକ,ବାରିପଦା ଉପଜିଲ୍ଲାପାଳ, ବାରିପଦା ତହସିଲଦାର, ପୌର ପାଳିକା ନିର୍ବାହୀ ଅଧିକାରୀ, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ, ଜିଲ୍ଲା ଜରୁରୀ କାଳୀନ ଅଧିକାରିଣୀ ପ୍ରମୁଖ ଯୋଗ ଦେଇଥିଲେ।ଜିଲ୍ଲାର ଅନ୍ୟ ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ରାଇରଙ୍ଗପୁର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ମ୍ୟୁନିସିପାଲିଟି ଓ ବିଜ୍ଞାପିତ ଅଂଚଳ ପରିଷଦର ନିର୍ବାହୀ ଅଧିକାରୀ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ।

