ବାରିପଦା,୧୪/୧୦(ପାଇକପୁଅ)୨୦୦୯ ମସିହାରେ ମୟୁରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ ବଣ୍ଡାବ ଗ୍ରାମ ଖେଳପଡ଼ିଆରେ ମାଓବାଦୀଙ୍କ ଆକ୍ରମଣରେ ଶହୀଦ ହୋଇଥିବା ତିନି ପୋଲିସ କର୍ମଚାରୀଙ୍କ ୧୭ତମ ସ୍ମୃତି ଦିବସରେ ଅମର ଆତ୍ମାର ସଦଗତି ନିମନ୍ତେ ରବିବାର ସନ୍ଧ୍ୟାରେ ସ୍ଥାନୀୟ ରିଜର୍ଭପୋଲିସ ପରିସରରେ ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି।
ମୟୂରଭଞ୍ଜ ସୀମାନ୍ତ ଇଲାକାରେ ୨୦୦୯ ଅକ୍ଟୋବର ୧୩ ସନ୍ଧ୍ୟାରେ ସୁନାରାମ ସୋରେନ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ଟୁର୍ଣ୍ଣାମେଣ୍ଟରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ତତ୍କାଳୀନ ରାଜ୍ୟ ସଭାପତି ତଥା ଲୋକସଭା ସାଂସଦ, ପୂର୍ବତନ ମନ୍ତ୍ରୀ ସୁଦାମ ମାଣ୍ଡି ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ମାଓବାଦୀ ତାଙ୍କୁ ଟାର୍ଗେଟ କରି ଗୁଳି ଚଳାଇଥିଲେ।ଏହି ଆକ୍ରମଣରୁ ଅଳ୍ପକେ ସେ ବର୍ତ୍ତି ଯାଇଥିଲେହେଁ ତାଙ୍କର ଦୁଇ ବ୍ୟକ୍ତିଗତ ସରକାରୀ ନିରାପତ୍ତା ରକ୍ଷୀଙ୍କ ସମେତ ତିନି ଜଣ ପୁଲିସ କର୍ମଚାରୀ ଘଟଣାସ୍ଥଳରେ ଶହୀଦ ହୋଇଥିଲେ।ଶହୀଦ ତିନି ଜଣଙ୍କ ମଧ୍ୟରେ ଚାନ୍ଦୁଆ ଥାନାର ତତ୍କାଳୀନ ପୋଲିସ ଏଏସଆଇ ନାରାୟଣ ଚନ୍ଦ୍ର ପ୍ରଧାନ ଏବଂ ଦୁଇ ଜଣ ବ୍ୟକ୍ତିଗତ ଅଙ୍ଗରକ୍ଷୀ ହାବିଲଦାର ରାଜେନ୍ଦ୍ର ମହାନ୍ତ ଓ କନେଷ୍ଟବଳ ଗହ୍ମା ହେମ୍ବ୍ରମ ସାମିଲ ଥିଲେ। ଏହି ତିନି ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ନିମନ୍ତେ ଜିଲା ପୋଲିସ ପକ୍ଷରୁ ସଂରକ୍ଷିତ ଆରକ୍ଷୀ ନିରୀକ୍ଷକ ଆଲୋକ କାନୁନଗୋଙ୍କ ତତ୍ତ୍ୱାବଧାନରେ ମୟୂରଭଞ୍ଜ ହାବିଲଦାର ଓ କନେଷ୍ଟବଳ ଶାଖା ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ସହ ଏକ ମହମ ବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଶହୀଦ ମାନଙ୍କର ପରିବାର ବର୍ଗ ଯୋଗଦେବା ସହ ଅତିଥି ଭାବେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ପୂର୍ବତନମନ୍ତ୍ରୀ ସୁଦାମ ମାରାଣ୍ଡି, ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଅତିରିକ୍ତ ଅରକ୍ଷୀ ଅଧିକ୍ଷକ ସବିତା ମାଝୀ, ସମାଜସେବୀ ଆମର କୁମାର ସେଠୀ ପ୍ରମୁଖ ଯୋଗ ଦେଇ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହିତ ମହମବତୀ ଶୋଭାଯାତ୍ରାରେ ଭାଗ ନେଇଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ ପୋଲିସ ଅଧିକାରୀ ଏବଂ ମୟୂରଭଞ୍ଜ ହାବିଲଦାର ଓ କନଷ୍ଟେବଳ ଶାଖା ସଂଘର ସଭାପତି ବିକାଶ କୁମାର ବାରିକ, ସମ୍ପାଦକ ସୁରଜ କୁମାର ରାଜଙ୍କ ସମେତ ଅନ୍ୟାନ୍ୟ
କର୍ମକର୍ତ୍ତା ମାନେ ସାମିଲ ଥିଲେ।

