ବାରିପଦା,୦୬/୧୦(ପାଇକପୁଅ) ଶାରଦୀୟ ଉତ୍ସବରେ ବେଳେ ମା’ ଦୁର୍ଗା ଧରାବତରଣ କରୁଥିବା ବେଳେ ତାଙ୍କୁ ଶାନ୍ତ ରଖିବା ପାଇଁ ହନୁମାନଙ୍କ ପୂଜା କରାଯିବା ଭଳି ଏକ ନିଆରା ପରମ୍ପରା ଏଠି ଅନୁଷ୍ଠିତ ହୋଇଆସୁଛି। ବାରିପଦା ସହର ଗାନ୍ଧୀ ମାର୍କେଟ ଛକ ମହାବୀର ପୂଜା କମିଟି ଦୀର୍ଘ ୩୩ ବର୍ଷ ହେବ ଏହି ପରମ୍ପରା ବଜାୟ ରଖିଛି । ମା’ ଦୁର୍ଗାଙ୍କ ଆବାହନ ମନ୍ତ୍ରରେ ପରିବେଶ ପ୍ରକମ୍ପିତ ହେଉଥିବା ବେଳେ ବାରିପଦାରେ ହନୁମାନଙ୍କ ପୂଜା ଶାରଦୀୟ ଉତ୍ସବକୁ ଅଧିକ ଭକ୍ତିମୟ କରି ତୋଳିଥାଏ। କଥିତ ଅଛି ଯେ, ମା’ ଦୁର୍ଗା ରକ୍ତମୁଖା ହୋଇ ମହିଷାସୁରକୁ ଦମନ କରିଥିଲେ। ତାଙ୍କୁ ଉଗ୍ର ରୂପରେ ଦେଖି ଧରାପୃଷ୍ଠରେ ଭକ୍ତଜନ ଭୟଭୀତ ହୋଇପଡିଥିଲେ। ଏଣୁ ସେତେବେଳେ ମା’ଙ୍କୁ ଶାନ୍ତ କରିବା ପାଇଁ ହନୁମାନଙ୍କୁ ପୂଜା କରାଯାଇଥିଲା। ଏହି ପରମ୍ପରା କାଳକ୍ରମେ ହଜି ଯାଇଥିଲା ବେଳେ ବାରିପଦା ଗାନ୍ଧୀ ମାର୍କେଟ ଛକ ମହାବୀର ପୂଜା କମିଟି ଏହାକୁ ଉଜ୍ଜୀବିତ କରିରଖିଛି। ୧୯୯୨ ମସିହାରେ ୩୦ରୁ ୪୦ ଜଣ ସଦସ୍ୟ ସଙ୍ଗଠିତ ହୋଇ ୧୦ ହଜାର ଟଙ୍କା ବ୍ୟୟ ଅଟକଳରେ ଶାରଦୀୟ ଉତ୍ସବ ଅବସରରେ ହନୁମାନଙ୍କ ପୂଜା ଆରମ୍ଭ କରିଥିଲେ। ବର୍ଷକୁ ବର୍ଷ ଏହି ପୂଜାର ଆକର୍ଷଣ ବଢ଼ିବା ସହ ବର୍ତ୍ତମାନ ବଜେଟ ୧୨ ଲକ୍ଷ ଟଙ୍କାକୁ ଛୁଇଁଛି। ପରମ୍ପରା ଅନୁଯାୟୀ ପୂଜକ ମନ୍ମଥ କୁମାର ପାଣିଙ୍କ ତତ୍ତ୍ଵାବଧାନରେ ଅଷ୍ଟମୀ, ନବମୀ ଓ ଦଶମୀ ତିଥିରେ ହନୁମାନଙ୍କ ପୂଜା ସହିତ ୭ ଘଣ୍ଟା ଧରି ହୋମଯଜ୍ଞ ଅନୁଷ୍ଠିତ ହୋଇଥାଏ।ଅନ୍ନପ୍ରସାଦ ଆଗାମୀ ୦୪ ତାରିଖ ଶନିବାର ଅପରାହ୍ନ ସାଢେ ୧୨ ଟା ଠାରୁ ୩ଟା ମଧ୍ୟରେ । ପୂଜା କମିଟି ସମ୍ପାଦକ ନରୋତ୍ତମ ମହାନ୍ତ ସୂଚନା ମୁତାବକ ଗତ ୮ ବର୍ଷ ହେଲା କଳା ମୁଗୁନି ପଥରରେ ତିଆରି ୯ ଫୁଟର ହନୁମାନଙ୍କ ମୂର୍ତ୍ତି ସ୍ଥାୟୀ ଭାବେ ପୂଜା ପାଇ ଆସୁଛି। ଠାକୁରଙ୍କ ଆଖି, ଚିତା ଓ ମୁକୁଟ ରୂପାରେ ତିଆରି ହୋଇଛି। ପୂର୍ବରୁ ମାଟିରେ ପଞ୍ଚମୁଖୀ ହନୁମାନଙ୍କ ମୂର୍ତ୍ତି ତିଆରି କରାଯାଇ ପୂଜା କରାଯାଉଥିଲା। ବର୍ତ୍ତମାନ କମିଟିରେ ଦୁଇ ଶହରୁ ଊର୍ଦ୍ଧ୍ଵ ସଦସ୍ୟ ଅଛନ୍ତି। ସମସ୍ତଙ୍କ ସହଯୋଗରେ ଏହି ପୂଜା ଶାନ୍ତିଶୃଙ୍ଖଳାର ସହ ହେଉଥିବା କମିଟି ସଭାପତି ନବ କିଶୋର ଦାସ ସୂଚନା ଦେଇଛନ୍ତି। କମିଟିର ନୂତନ କର୍ମକର୍ତ୍ତା ନିଦ୍ଦାରଣ
କାର୍ଯ୍ୟକାରି ସଭାପତି:-ଜୟେଷ ପାତ୍ର ,ଉପ ସଭାପତି:- ଖଗେଶ୍ବର ବଳିଆର୍ ସିଂହ, ସାଂଗଠନିକ ସମ୍ପାଦକ:- ଦେବବ୍ରତ ଦେ, କୁମାର ରାକେଶ କୋଷାଧ୍ୟକ୍ଷ:- ବିଶ୍ଵାଷ ମହାନ୍ତି ପୂଜା ସମ୍ପାଦନରେ ପ୍ରମୁଖ ଦାୟିତ୍ଵ ତୁଲାଉଛନ୍ତି। ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମରେ ଏଠି କେବଳ ଭଜନ ପରିବେଷଣ ହୋଇଥାଏ। ଚଳିତ ବର୍ଷ କମିଟି ପକ୍ଷରୁ ଏକ କାଳ୍ପନିକ ମନ୍ଦିର ସଦୃଶ ତୋରଣ ନିର୍ମାଣ କରାଯାଉଛି। କମିଟି ପକ୍ଷରୁ ସାଜସଜ୍ଜା ପାଇଁ ଗୁରୁତ୍ଵ ଦିଆଯାଉଥିବା କୁହାଯାଇଛି।


