ବାରିପଦା,୨୬/୦୯(ପାଇକପୁଅ)ମୟୂରଭଞ୍ଜ ଜିଲ୍ଲା ୪ ଗୋଟି ଉପଖଣ୍ଡ ମଧ୍ୟରେ ଯୋଗାଯୋଗ ସ୍ଥାପନ କରୁଥିବା ମୁଖ୍ୟତଃ ଦ୍ୱାରଶୁଣୀ ଘାଟୀ ମଧ୍ୟରେ ଯାତାୟତ ଆଜି ବିପର୍ଯ୍ୟସ୍ତ ହୋଇପଡିଛି।ପ୍ରତ୍ୟେକ ଦିନ ବହୁ ସଂଖ୍ୟାରେ ଖଣିଜ ପଦାର୍ଥ ବୋଝେଇ ଟ୍ରକ, ଟ୍ରଲର ଯିବା ଆସିବା ଯୋଗୁଁ ସାଧାରଣ ଜନତା ବହୁ ସମସ୍ୟାରେ ପଡୁଛନ୍ତି।ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ରୋଗୀ, ଆମ୍ବୁଲାନ୍ସ ସେବା, ଛାତ୍ରଛାତ୍ରୀ, ବୃଦ୍ଧବୃଦ୍ଧା ଏପରିକି ସେହି ରାସ୍ତା ଦେଇ ପ୍ରତ୍ୟେକ ଦିନ ଯିବା ଆସିବା କରୁଥିବା ସାଧାରଣ ଜନତା ଘଣ୍ଟା ଘଣ୍ଟା ଜାମ ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏବେ ଦୁର୍ଗା ପୂଜାର ସମୟ, ତେଣୁ ଜିଲ୍ଲାର ଏବଂ ଜିଲ୍ଲା ବାହାର ବହୁ ଶ୍ରଦ୍ଧାଳୁ ପ୍ରତ୍ୟେକ ଉକ୍ତ ରାସ୍ତା ଦେଇ ପାର୍ବଣର ମଜା ନେଇଥାନ୍ତି, ମାତ୍ର ଦ୍ୱାରଶୁଣୀ ଘାଟିରେ ହେଉଥିବା ଜାମକୁ ଦେଖି ବହୁ ଶ୍ରଦ୍ଧାଳୁ ମୟୂରଭଞ୍ଜ ଭିତରେ ବୁଲିବାକୁ ସୁରକ୍ଷିତ ମଣୁ ନାହାନ୍ତି।ଏହି ପରିପ୍ରେକ୍ଷୀରେ ଆଜି ଭଞ୍ଜସେନା ତରଫରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଇଶ୍ବର ଚନ୍ଦ୍ର ନାୟକଙ୍କୁ ଦିନ ସମୟରେ ଏବଂ ରାତି ୧୦ଟା ପର୍ଯ୍ୟନ୍ତ ଭାରୀ ମାଲବାହୀ ଗାଡି ଘାଟି ଦେଇ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରାଯିବା ପାଇଁ ଏକ ଦାବିପତ୍ର ପ୍ରଦାନ କରା ଯାଇଛି। ଆଜିର ଏହି ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ମୁଖପାତ୍ର ଜ୍ୟୋତିରଞ୍ଜନ ପୃଷ୍ଟି, ଛାତ୍ରସଂପାଦକ ସଞ୍ଜୟ ମାହାରଣା, ରୁଦ୍ର ପଟ୍ଟନାୟକ, ଦୀପକ ବେହେରା, ସତ୍ୟ ପ୍ରୁଷ୍ଟି, ସୌମ୍ୟରଞ୍ଜନ ଦାସବାବୁ ପ୍ରମୁଖ ଉପସ୍ଥିତ ଥିଲେ।





