ବାରିପଦା, ୨୨/୦୯(ପାଇକପୁଅ)କିଛି ଦିନ ଧରି ମୟୁରଭଞ୍ଜ ଜିଲ୍ଲା ବିଭାଜନ ନେଇ ଗଣ ମାଧ୍ୟମରେ ଖବର ପ୍ରସାରଣ ଚାଲିଥିବା ବେଳେ ମୟୁରଭଞ୍ଜ ବାସୀ ପ୍ରତିକ୍ରିୟାଶୀଳ ହୋଇ ରହିଛନ୍ତି। ତେବେ ଆଜି ଜିଲ୍ଲାର ଅଗ୍ରଣୀ ଭାଷା ଅନୁଷ୍ଠାନ ଓଡ଼ିଆ ଜାଗରଣ ମଞ୍ଚ ପକ୍ଷରୁ ପ୍ରତିଷ୍ଠାତା ସଭାପତି ଶରତ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲା ପାଳଙ୍କ ମାଧ୍ୟମରେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଦାବିପତ୍ର ପ୍ରଦାନ କରି ମୟୁରଭଞ୍ଜ ଜିଲ୍ଲାକୁ ଭାଗଭାଗ ନକରି ବିଛୀନ୍ନାଞ୍ଚଳ ଷଢେଇକଳା, ଖରସୁଆଁ ଆଦି ଅଞ୍ଚଳକୁ ଓଡ଼ିଶାରେ ମିଶାଇବାକୁ ଦାବି କରାଯାଇଛି। କାରଣ ଏହି ଗଡ଼ଜାତ ଅଞ୍ଚଳ ଗୁଡିକ ୧୯୪୭ ମସିହା ଡିସେମ୍ବର ୧୩ ତାରିଖରେ ଭାରତର ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ କଟକ ଆଗମନ କାଳରେ ଡଃ ହରେକୃଷ୍ଣ ମହାତାବଙ୍କ ପ୍ରସ୍ତାବରେ ୧୯୪୮ ମସିହା ଜାନୁୟାରୀ ୧ ତାରିଖ ଦିନ ଓଡ଼ିଶାର ଅଂଶ ବିଶେଷ ଭାବରେ ଶାସିତ ହେଉଥିଲା।ବାଲେଶ୍ଵରର ତତ୍କାଳୀନ ଜିଲ୍ଲାପାଳ ଏହାର ପ୍ରଶାସନିକ ଦାୟିତ୍ୱରେ ରହିଥିଲେ।ତେବେ ରାଜନୈତିକ ଚକ୍ରାନ୍ତ କରାଯାଇ ଏହି ଅଞ୍ଚଳକୁ ୧୯୪୮ମସିହା ମଇ ମାସ ୧୮ ତାରିଖରେ ପ୍ରଶାସନିକ ସୁବିଧା ଦୃଷ୍ଟିରୁ ସାମୟିକ ଭାବରେ ଭାରତ ସରକାର ବିହାର ରାଜ୍ୟ ସହ ମିଶାଇଥିଲେ। ଏପରିକି, ୧୯୫୪ ମସିହାରେ ଗଠିତ ରାଜ୍ୟ ପୂର୍ନଗଠନ କମିଶନ ର ଅଧ୍ୟକ୍ଷ୍ୟ ସାର ଫଜାଲ ଅଲି, ସଦସ୍ୟ ପଣ୍ଡିତ କେ. ଏନ. କୁଞ୍ଜୁରୁ ଏବଂ ସର୍ଦାର ଏଚ. ଏମ. ପାନିକର ଅନୁଧ୍ୟାନ
ପାଇଁ ଆସିଥିବା ବେଳେ ସିଂହଭୂମ ଉତ୍କଳ ସଭାର ପ୍ରତିନିଧି ମାନଙ୍କ ସହିତ ସେତେବେଳର ବିହାର ବିଧାନ ସଭାର ନିର୍ବାଚିତ ୩୪ ଜଣ ବିଧାୟକ ଏ ପ୍ରସଙ୍ଗରେ ସ୍ମାରକ ପତ୍ର ମାଧ୍ୟମରେ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ କଂଗ୍ରେସ ଅଧ୍ୟକ୍ଷ ଓଡିଶାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ତଥା ବହୁ ବିଶିଷ୍ଟ ସାଂସଦ, ବିଧାୟକଙ୍କୁ ତଥା ରାଜ୍ୟ ପୂର୍ବଗଠନ କମିଶନକୁ ସିଂହଭୂମ ଜିଲ୍ଲା ତଥା ଷଢେଇକଳା, ଖରସୁଆଁ କୁ ମିଶାଇବାର ଦୃଢ ଦାବୀ ରଖିଥିଲେ। ଏଣୁ ବର୍ତ୍ତମାନ ମୟୁରଭଞ୍ଜ ଭଳି ଏକ ଐତିହ୍ୟ ସମ୍ପର୍ଣ୍ଣ ଅଞ୍ଚଳକୁ ବିଭାଜନ କରାନଯାଇ ଓଡ଼ିଶାର ବିଛୀନ୍ନାଞ୍ଚଳ ବୋଲାଉଥିବା ଷଢେଇକଳା, ଖରସୁଆଁ ଓ ପୂର୍ବସିଂହଭୂମକୁ ଓଡିଶା ସହିତ ମିଶାଇବା ପାଇଁ ବିହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରାଯାଇଛି। ଏହି ପ୍ରତିନିଧି ମଣ୍ଡଳୀରେ ମଞ୍ଚର ସଭାପତି ଶରତ ଚନ୍ଦ୍ର ନାୟକଙ୍କ ସହିତ ପିତାମ୍ବର ମଲ୍ଲିକ, ଆଇନଜୀବୀ ଅରବିନ୍ଦ ଦାସ, ସତ୍ୟ ନାରାୟଣ ବେହେରା, ବେଦ ପ୍ରକାଶ ପାରିକ,ଚନ୍ଦ୍ରଭାନୁ ଗିରି, ବାହାଦୁର ମୁର୍ମୁ, ଗୁରା ନାଏକ ପ୍ରମୁଖ ଜିଲ୍ଲା ପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଇଶ୍ଵର ଚନ୍ଦ୍ର ନାଏକ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

