ବାରିପଦା,୧୭/୦୯(ପାଇକପୁଅ)ଶ୍ୟାମାଖୁଣ୍ଟା ଅଞ୍ଚଳରେ ମୁଣ୍ଡାରୀ ଭାଷା ସମନ୍ୱୟ କମିଟିର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଣ୍ଡାରୀ ଭାଷା ସମନ୍ୱୟ କମିଟିର ଉପଦେଷ୍ଟା ତଥା ଶ୍ୟାମାଖୁଣ୍ଟା ବ୍ଲକ ୪୯ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ମଧୁସୂଦନ ସିଂ, ସାଧାରଣ ସମ୍ପାଦକ ଇଂ ସୁନାରାମ ସିଂ, ପର୍ଯ୍ୟବେକ୍ଷକ ରାମେଶ୍ବର ସିଂ, ଶଶିଧର ସିଂ, ମୁଣ୍ଡାରୀ ଶିକ୍ଷା ପରିଷଦର ସମ୍ପାଦକ ବୁଧିଆ ସିଂ ପ୍ରମୁଖ ବୈଠକରେ ଯୋଗଦେଇ ଆଗାମୀ ଦିନରେ ସବୁ ମୁଣ୍ଡାରୀ ଭାଷାଭାଷୀ ଗ୍ରାମ ଗୁଡିକରେ ଭାଷା ଆନ୍ଦୋଳନକୁ ବ୍ୟାପକ କରା ଯିବା ସହିତ ଏହି ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚିରେ ସାମିଲ କରିବା ଦାବି ନେଇ ଦିଲ୍ଲୀ ଜନ୍ତର ମନ୍ତର ରେ ଧାରଣା ଦେବା ଏବଂ ରାଷ୍ଟ୍ରପତି, ପ୍ରଧାନ ମନ୍ତ୍ରୀ ଏବଂ ଗୃହ ମନ୍ତ୍ରୀଙ୍କୁ ସାକ୍ଷାତ କରା ଯିବାର ଯୋଜନା ରହିଛି ବୋଲି କହିଥିଲେ।ଏଥିସହିତ ପ୍ରତି ଗ୍ରାମରେ ପ୍ରତ୍ୟେକ ରବିବାର ମୁଣ୍ଡାରୀ ଭାଷା ଶିକ୍ଷା ନିମନ୍ତେ ଥିବା ବିଦ୍ୟାଳୟରେ ଆବାଳ ବୃଦ୍ଧବନିତା ସମସ୍ତଙ୍କ ପାଇଁ ଶିକ୍ଷା ଗ୍ରହଣର ସୁବିଧା କରାଯିବା ପାଇଁ ଆହ୍ବାନ ଦେଇଥିଲେ।
ଏହି ଅବସରରେ ମୁଣ୍ଡାରୀ ଭାଷା ସମନ୍ୱୟ କମିଟି ଦ୍ଵାରା ପରିଚାଳିତ ମୁଣ୍ଡାରୀ ବିଦ୍ୟାଳୟ ଗୁଡ଼ିକରେ ଗତ ଜୁନ୍ ୮ ତାରିଖରେ ମୁଣ୍ଡାରୀ ଭାଷାରେ ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।ତେବେ ଏହାର ପରୀକ୍ଷା ଫଳ ନିକଟରେ ପ୍ରକାଶିତ ହୋଇଥିବା ବେଳେ ଚନ୍ଦନଚତୁରି ମୁଣ୍ଡାରୀ ବିଦ୍ୟାଳୟ ଏବଂ ଭାଦୁଶୋଳ ମୁଣ୍ଡାରୀ ବିଦ୍ୟାଳୟର କୃତି ଛାତ୍ରଛାତ୍ରୀ ମାନଙ୍କୁ ସାର୍ଟିଫିକେଟ ବଣ୍ଟନ କରାଯାଇଛି।

