ମାଲକନାଗରି,୧୩/୦୯ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ସ୍ଵାଭିମାନ ଅଞ୍ଚଳରେ ରାସ୍ତା ଓ କଲଭର୍ଟ ନିର୍ମାଣ ହୋଇଥିଲେ ମଧ୍ୟ ଯାତାୟତରେ ସମସ୍ୟା ଭୋଗୁଛନ୍ତି ଲୋକେ। କଲଭର୍ଟ ନିକଟରେ ଆଣ୍ଠୁଏ ପାଣି ଜମିବା ସହ ପଙ୍କ କାଦୁଅ ଯୋଗୁଁ ଲୋକେ ଏହି ରାସ୍ତା ଦେଇ ଯାତାୟତ କରିବା କଷ୍ଟକର ହୋଇପଡିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକରେ ଥିବା ସ୍ଵାଭିମାନ ଅଞ୍ଚଳର ପାପରମେଟଲା ପଞ୍ଚାୟତ ଅନ୍ତର୍ଗତ ଜନ୍ତପାଇ ଠାରୁ ଡଲିଆମ୍ବ ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଏକ କଲଭର୍ଟ ନିର୍ମାଣ କରଯାଇଥିଲା। ବର୍ତ୍ତମାନ ମେଟାଲ ଓ ମୋରୁମ ଦ୍ଵାରା ହୋଇଥିବା ଏହି ରାସ୍ତାରେ ଅନେକ ଦିନ ଧରି କଲଭର୍ଟଟି ନିର୍ମାଣ ହୋଇଥିଲେ ହେଁ ଏହାକୁ ମୁଖ୍ୟ ରାସ୍ତା ସହ ସଠିକ ଭାବେ ଯୋଡା ଯାଇ ନଥିବା ବେଳେ ବର୍ଷା ଯୋଗୁଁ କଲଭର୍ଟ ନିକଟରେ ଆଣ୍ଠୁଏ ଉଚ୍ଚର ପାଣି ଜମିବା ସହ ପଙ୍କ କାଦୁଅ ହୋଇଥିବାରୁ ଏହି ରାସ୍ତାରେ ମୋଟର ସାଇକେଲ ଦ୍ଵାରା କିମ୍ବା ଚାଲି ଚାଲି ଯିବା ସମ୍ପୂର୍ଣ ରୂପେ କଷ୍ଟକର ହୋଇ ପଡିଛି। ବଡ ଗାଡି ଗୁଡିକ ଯେକୌଣସି ମତେ ଏହି ରାସ୍ତା ଦେଇ ଯାଉଥିବା ବେଳେ ସ୍ଥାନୀୟ ଲୋକେ ସାଇକେଲ, ମୋଟର ସାଇକେଲ ଓ ଚାଲି ଚାଲି ଏହି ରାସ୍ତା ଦେଇ ଯାତାୟତ କରି ପାରୁନଥିବା ଅଭିଯୋଗ କରିଛନ୍ତି। ତୁରନ୍ତ ଏହି ରାସ୍ତାକୁ ମରାମତି କରାଇ କଲଭର୍ଟ ସହ ରାସ୍ତାକୁ ସଠିକ ଭାବେ ଯୋଡିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

