ମାଲକାନଗିରି,୧୩/୦୯ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲା ବାଲିମେଳା ଆଞ୍ଚଳିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଡ୍ୟୁଟିରେ ଥିବା ଡାକ୍ତରଙ୍କୁ ହାତ ଉଠାଇ ମାରିଲେ ଦିବ୍ୟାଙ୍ଗ, ସୋସିଆଲ ମିଡ଼ିଆରେ ଭିଡିଓ ହେଲା ଭାଇରାଲ। ଘଟଣା ପରେ ଉଭୟ ହେଲେ ଥାନାର ଦ୍ୱାରସ୍ଥ। ପୋଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ଶୁକ୍ରବାର ସକାଳ ସମୟରେ ବାଲିମେଳା ଛକରେ ରହୁଥିବା ଜଗତ ଜୀବନ ପାତ୍ର ନାମକ ଜଣେ ଦିବ୍ୟାଙ୍ଗ ନିଜ ପୁଅର ଜ୍ୱର ହୋଇଥିବା ନେଇ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ଯାଇଥିଲେ। ସେଠାରେ ଡ୍ୟୁଟିରେ ଥିବା ଡାକ୍ତର ସୌଭାଗ୍ୟ ହୁଇ ପିଲାଟିର ଚିକିତ୍ସା କରି ଔଷଧ ଲେଖିଥିଲେ। କିଛି ସମୟ ପରେ ତାଙ୍କ ପୁଅର ଦେହ ଭଲ ନ ହେବାରୁ ପୁନଃ ନିଜ ପୁଅକୁ ନେଇ ମେଡିଆଲ ଯାଇଥିଲେ ଦିବ୍ୟାଙ୍ଗ। ସେଠାରେ ଡାକ୍ତର ବିଶ୍ୱ ଅଙ୍କିତ ସାହୁ ଚିକିତ୍ସା କରିବା ସମୟରେ ତାଙ୍କ ପୁଅ ଡାକ୍ତରଙ୍କୁ ଗ୍ୟାସ ଦେବା ନିମନ୍ତେ କହିଥିଲେ। ଡାକ୍ତର କଣ ହୋଇଛି ବୋଲି ପଚାରିବାରୁ ସେ କେବଳ ଗ୍ୟାସ ହିଁ ମୋତେ ଦିଅନ୍ତୁ ବୋଲି ଆଦେଶ ଦେଇ ଚାଲି ଯାଇଥିଲେ ପୁଅ। ଏହାପରେ ଦିବ୍ୟାଙ୍ଗ ଜଣଙ୍କ ରାଗରେ ଉତକ୍ଷିପ୍ତ ହୋଇ ଡାକ୍ତରଙ୍କ ପ୍ରକୋଷ୍ଠ କୁ ଯାଇ ଡାକ୍ତର ଶ୍ରୀ ସାହୁ ଙ୍କ ସହ ନାନାଦି ଯୁକ୍ତି କରିଥିଲେ। ପରେ ବାଧ୍ୟହୋଇ ଡାକ୍ତର ନିଜ ମୋବାଇଲ ଯୋଗେ ଭିଡିଓ ଆରମ୍ଭ କରିବାରୁ ବିଭିନ୍ନ ଭାଷା ଦେଇ ଦିବ୍ୟାଙ୍ଗ ଜଣଙ୍କ ଡ୍ୟୁଟିରେ ଥିବା ଡାକ୍ତର ଶ୍ରୀ ସାହୁଙ୍କୁ ବିଭିନ୍ନ ଭାଷାରେ ଗାଳି ଗୁଲଜ୍ କରି ଧମକାଇଥିଲେ। ପରେ ଡାକ୍ତର ତାଙ୍କ ପୁଅ କୁ ନିଜ ପ୍ରକୋଷ୍ଠ କୁ ଡାକି ପଚରାଉଚରା କରିବା ସମୟରେ ଦିବ୍ୟାଙ୍ଗ ଜଣଙ୍କ ରାଗରେ ପ୍ରଚଣ୍ଡ ହୋଇ ଡାକ୍ତରଙ୍କ ମୋବାଇଲ ତଳେ ପକାଇ ଭାଙ୍ଗିବା ସହ ଡାକ୍ତରଙ୍କୁ ହାତ ଉଠାଇ ମାରି ଅଭଦ୍ର ଭାଷାରେ ଗାଳି ଗୁଲଜ୍ କରିଥିଲେ। ପରେ ଡାକ୍ତର ଅଙ୍କିତ ବାଧ୍ୟହୋଇ ଓରକେଲ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ। ଏନେଇ ମାମଲା ରୁଜୁ କରାଯାଇଥିବା ବେଳେ ପୁନଃ ଦିବ୍ୟାଙ୍ଗ ଶ୍ରୀ ପାତ୍ର ମଧ୍ୟ ଥାନାର ଦ୍ୱାରସ୍ଥ ହୋଇ ଡାକ୍ତର ଙ୍କୁ ବିରୁଦ୍ଧରେ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଥିବା ସୂଚନା ମିଳିଛି। ଓରକେଲ ଥାନାରେ କେସ ନଂ ୨୪୩ ଏବଂ ୨୪୪ ମାମଲା ରୁଜୁ କରି ଉଭୟଙ୍କୁ ଥାନା ପକ୍ଷରୁ ବେଲବଣ୍ଡ ପ୍ରଦାନ କରାଯାଇଥିବା ଏସଆଇ ଅଜିତ ସିଂ ବରିହା ସୂଚନା ଦେଇଛନ୍ତି। ତେବେ ଡ୍ୟୁଟିରେ ଥିବା ଡାକ୍ତରଙ୍କୁ ଏପରି ମାଡ଼ ମାରିବା ଘଟଣାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି। ମାଲକାନଗିରି ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ଅଭାବ ରହିଥିବା ବେଳେ ଏହିପରି ଘଟଣା ଅଞ୍ଚଳରେ ବାରମ୍ବାର ଘଟୁଥିବା ହେତୁ ଅନ୍ୟ ଜିଲ୍ଲାରୁ କୌଣସି ଡାକ୍ତର ମାଲକାନଗିରି ଜିଲ୍ଲାକୁ ଆସୁନଥିବା ସାଧାରଣରେ ବର୍ତ୍ତମାନ ଚର୍ଚ୍ଚା ହେଉଛି।

