ମାଲକାନଗିରି,୧୨/୦୯ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲା ଓରକେଲ ପୋଲିସ ୨୬ କିଲୋ ଗଂଜେଇ ସମେତ ଗୋଟିଏ ବାଇକ ଏବଂ ୨ ଜଣଙ୍କୁ କୋର୍ଟ ଚାଲାଣ କରିଛି। ମିଳିଥିବା ସୁଚନାନୁଯାୟୀ ଓରକେଲ ଥାନାଧିକାରୀ ଧୀରେନ ପଟ୍ଟନାୟକ ବିଶେଷ ସୂତ୍ରରୁ ଖବର ପାଇ ଅଜିତ ସିଂ ବରିହାଙ୍କ ନେତୃତ୍ୱରେ ଏକ ଟିମ ନିଳାକାମ୍ବେରୁ ଗ୍ରାମ ନିକଟସ୍ଥ ସୋରଲୁକୋଣ୍ଡା ବ୍ୟାରେଜ ନିକଟରେ ଯାଞ୍ଚ ନିମନ୍ତେ ଗୁରୁବାର ମଧ୍ୟାହ୍ନ ସମୟରେ ପଠାଇଥିଲେ। ଗୋଟିଏ ବାଇକ ଏମଭି-୧୨୦ ଗ୍ରାମ ପଟୁ ଦ୍ରୁତ ଗତିରେ ଆସୁଥିବା ଦେଖି ପୋଲିସ ଟିମ ଅଟକାଇଥିଲେ। ବାଇକରେ ବସିଥିବା ୨ ଯୁବକ ଏକ ବସ୍ତା ନେଇ ଆସୁଥିବା ବେଳେ ବସ୍ତାରେ କଣ ଅଛି ବୋଲି ପୋଲିସ ପଚାରିବାରୁ ଦୁହିଁଙ୍କ କଥାରେ ତାଳମେଳ ଖାଇନଥିଲା। ଯାଞ୍ଚ ପରେ ଉକ୍ତ ବସ୍ତାରେ ୨୬ କିଲୋ ଗଞ୍ଜେଇ ଥିବା ପୋଲିସ ଦେଖିବାକୁ ପାଇଥିଲେ। ପରେ ଦୁହିଁଙ୍କୁ ଓରକେଲ ଥାନା କୁ ନିଆଯାଇଥିଲା। ତେବେ ସେମାନେ ଏହି ଗଂଜେଇକୁ ଚିତ୍ରକୋଣ୍ଡା ଅଞ୍ଚଳରୁ ମାଲକାନଗିରିକୁ ଚାଲାଣ କରୁଥିବା ତଦନ୍ତକାରୀ ଅଧିକାରୀ ମନୋହର ସାହୁ କହିଛନ୍ତି। ଗିରଫ ୨ ଅଭିଯୁକ୍ତ ହେଲେ ସମୀର କିରସାନି(୨୦) ଏବଂ ଆକାଶ କିରସାନି(୨୩), ଦୁହେଁ ମାଲକାନଗିରି ଥାନା ଅନ୍ତର୍ଗତ ଭେଜାଗୁଡା ଗ୍ରାମର ବୋଲି ଜଣାପଡିଛି। ଜବତ ଗଂଜେଇ ର ଆନୁମାନିକ ମୂଲ୍ୟ ୨ ଲକ୍ଷ ୬୦ ହଜାର ହେବା ସହ ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଶ୍ରୀ ପଟ୍ଟନାୟକ କହିଛନ୍ତି।

