ବାରିପଦା,୧୧/୦୯(ପାଇକପୁଅ)ସାମାଖୁଣ୍ଟା ତହସିଲ ଭାଲୁକି ରାଜସ୍ୱ ନିରୀକ୍ଷକ ଅଧିନ ଅଖରଶିଳା ମୌଜାରେ ୧୯୯୮ ମସିହାରେ ୩୦ ଜଣ ଭୂମିହୀନ ପରିବାରଙ୍କୁ ସରକାରଙ୍କ ତରଫରୁ ୪ ଡ଼ିସିମିଲ ଲେଖାଏଁ ଜମିର ପଟା ପ୍ରଦାନ କରାଯାଇଥିଲେ ସୁଦ୍ଧା ଅଦ୍ୟାବଧି ୨୭ ବର୍ଷ ହେଲା ପ୍ରଶାସନ ପକ୍ଷରୁ ଜମି ଚିହ୍ନଟ କରି ଦଖଲ ଦିଆଯାଇନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହ ଆବାସ ଗୃହ ଭଳି ସରକାରୀ ଯୋଜନା ରୁ ବାଦ ପଡୁଛନ୍ତି।ଏଣୁ ଆଜି ଜାଗ ମୟୂରଭଞ୍ଜ ଜାଗର ଅଧ୍ୟକ୍ଷ ଅରୁଣ କୁମାର ବେହେରଙ୍କ ନେତୃତ୍ୱରେ ଜମିପଟ୍ଟା ପାଇଥିବା ୩୦ ଜଣ ପରିବାର ଜିଲ୍ଲାପାଳଙ୍କୁ ସାକ୍ଷାତ କରି ତୁରନ୍ତ ଜମି ଚିହ୍ନଟ କରି ଦଖଲ ପ୍ରଦାନ କରିବାକୁ ଲିଖିତ ଅଭିଯୋଗ କରିଛନ୍ତି।ଯଦି ଦାବୀ ପୂରଣ ନହୁଏ ତେବେ ବାଧ୍ୟ ହୋଇ ଆନ୍ଦୋଳନର ପନ୍ଥା ଆପଣାଇବେ ବୋଲି ଗ୍ରାମବାସୀ ମାନେ କହିଛନ୍ତି।ପଟ୍ଟା ଧାରୀ ମାନେ ୧୯୯୮ ମସିହାରୁ ୨୦୨୫ ମସିହା ଦୀର୍ଘ ୨୭ ବର୍ଷ ଧରି ଉକ୍ତ ଜମିର ଖଜଣା ପ୍ରଦାନ କରିଚାଲିଛନ୍ତି ହେଲେ ଜମିର ଦଖଲ ପାଇବାରୁ ବଂଚିତ ଅଛନ୍ତି।ଏଥି ନିମନ୍ତେ ପଟାଧାରୀ ପରିବାର ବାରମ୍ବାର ସାମାଖୁଣ୍ଟା ତହସିଲଦାର, ଭାଲୁକି ରାଜସ୍ୱ ନିରୀକ୍ଷକଙ୍କୁ ଜଣେଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରିନାହିଁ।ଏବେ ରାଜ୍ୟରେ ସରକାର ବଦଳି ଯାଇଥିଲେ ସୁଦ୍ଧା ଲୋକଙ୍କ ଭାଗ୍ୟ ବାଦଳୁନି ବୋଲି ଅଭିଯୋଗକାରୀ ମାନେ କହିଛନ୍ତି। ତେବେ ଜିଲ୍ଲାପାଳ ତୁରନ୍ତ ଜମି ଚିନ୍ହଟ କରେଇ ଜମିର ଦଖଲ ଦେବାପାଇଁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉପ-ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଦାବିପତ୍ର ପ୍ରଦାନରେ ଅରୁଣ ବେହେରାଙ୍କ ସହିତ ସୁନାରାମ ସିଂ, ଭାଗିରଥୀ ହାଁସଦା, ମଙ୍ଗଲ ସିଂ, ଚୁନୁରାମ ସିଂ, ସୋମନାଥ ସିଂ, ସୁରେନ୍ଦ୍ର ପଳେଇ, ରବୀନ୍ଦ୍ର ନାଏକ, ପ୍ରଦୀପ ନାଏକ ପ୍ରମୁଖ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।

