ବାରିପଦା, ୦୨/୦୯(ପାଇକପୁଅ)ନିଖିଳ ଓଡ଼ିଶା ସାନ୍ତାଳୀ ସ୍ନାତକୋତ୍ତର ଛାତ୍ରସଂଘର ସଭାପତି ବିକ୍ରମ ବେଶ୍ରାଙ୍କ ନେତୃତ୍ଵରେ ବିଭିନ୍ନ ସମସ୍ୟା ନେଇ ଏକ ଦାବିପତ୍ର ରାଇରଙ୍ଗପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ମନୋହର ବାରିକଙ୍କୁ ପ୍ରଦାନ କରାଯାଇଛି।ରାଇରଙ୍ଗପୁର ମହାବିଦ୍ୟାଳୟ ବାମନଘାଟି ଉପଖଣ୍ଡର ପ୍ରଥମ ଏବଂ ସର୍ବ ପୁରାତନ ମହାବିଦ୍ୟାଳୟ. ଏଠାରେ ୭୦ ରୁ ୮୦ % ଆଦିବାସୀ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ସେଥିମଧ୍ୟରୁ ସାନ୍ତାଳୀ ଭାଷାଭାଷୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବେଶୀ।ସାନ୍ତାଳୀ ଏକ ସାମ୍ବିଧାନ ସ୍ବୀକୃତ ସ୍ବତନ୍ତ୍ର ଲିପି ଥିବା ଉନ୍ନତ ଭାଷା ଅଟେ।ସାନ୍ତାଳୀ ଭାଷାର ଲିପି ‘ଅଲଚିକି ର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପୈତୃକ ଘର ମଧ୍ଯ ଏଠାରୁ ମାତ୍ର ୫ କିମି ଦୂର। ମୟୂରଭଞ୍ଜ ଜିଲ୍ଲାର ସାଂସଦ ଏବଂ ଭାରତ ବର୍ଷର ମହା ମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ଯ ଏହି ଅଞ୍ଚଳର ଅଟନ୍ତି।ଛାତ୍ରସଂଘ ପକ୍ଷରୁ ନିରନ୍ତର ଦୀର୍ଘ ପାଞ୍ଚ ବର୍ଷ ଧରି ଏହି ମହାବିଦ୍ୟାଳୟରେ ନୂତନ କରି ସାନ୍ତାଳୀକୁ ସମ୍ମାନ ଓ ଇଚ୍ଛାଧୀନ ବିଷୟ ଭାବେ ଖୋଲିବା ପାଇଁ ଦାବି ପତ୍ର ପ୍ରଦାନ କରାଯାଇ ଆସୁଥିଲେ ମଧ୍ୟ ମହାବିଦ୍ୟାଳୟରେ ସାନ୍ତାଳୀ ସମ୍ମାନ ବିଷୟ ଖୋଲାଯାଇ ପାରିଲା ନାହିଁ। ଅଧ୍ୟକ୍ଷଙ୍କ କହିବା ମୁତାବକ ୩୨ଟି ସିଟରେ ସାନ୍ତାଳୀ ବିଷୟ ଖୋଲିବା ପାଇଁ ୨୦୨୨ ମସିହାରେ ସରକାରଙ୍କୁ ଦରଖାସ୍ତ ଦେଇଛନ୍ତି।ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ, ବାଲେଶ୍ଵରରୁ ମଧ୍ଯ ଉଚ୍ଚ କ୍ଷମତାସଂପନ୍ନ କମିଟି ମହାବିଦ୍ୟାଳୟକୁ ପରିଦର୍ଶନରେ ଆସି ଏହାକର ତଦାରଖ କରି ଫାଇଲଟିକୁ କମିଟି ନିକଟକୁ ପ୍ରେରଣ କରିଥିଲେ। କିନ୍ତୁ ଦୀର୍ଘ ବର୍ଷ ଧରି ଫାଇଲଟି ସରକାରଙ୍କ ନିକଟରେ ପଡି ରହିଛି।ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ଶାସନ କରୁଥିବା ବେଳେ ଜାତୀୟ ଶିକ୍ଷା ନୀତି-୨୦୨୦ କୁ ମଧ୍ଯ ଉଚ୍ଚ ଶିକ୍ଷା ବିଭାଗରେ ଲାଗୁ କରାଯାଇଛି। ଏଥିରେ ମାତୃଭାଷା ମାଧ୍ୟମରେ ଶିକ୍ଷା ପ୍ରଦାନକୁ ଗୁରୁତ୍ଵ ଦିଆଯାଇଥିବା ବେଳେ ସରକାର ସାନ୍ତାଳୀ ଭାଷା ପାଇଁ ଏତେ ପାତର ଅନ୍ତର କଣ ପାଇଁ ସୃଷ୍ଟି କରୁଛନ୍ତି ବୋଲି ଛାତ୍ର ସଂଘର ସଭାପତି ପ୍ରଶ୍ନ କରିଛନ୍ତି।ଯଦି ସରକାର ଏଥିପ୍ରତି ଗୁରୁତ୍ୱ ପ୍ରଦାନ ନକରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।ଏହି ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ସଭାପତି ଶ୍ରୀ ବେଶ୍ରା, କର୍ମକର୍ତ୍ତା ସୀତାମଣି ମୁର୍ମୁ, ଛୋଟରାୟ ମୁର୍ମୁ, ରାମଜିତ ଟୁଡୁ, ଶାନ୍ତି ସୋରେନ ଓ ରାମ କିସ୍କୁ ପ୍ରମୁଖଙ୍କ ସହ ଅନ୍ଯମାନେ ଉପସ୍ଥିତ ଥିଲେ।

